ଗାଁ ଦାଣ୍ଡରୁ ହଜିଗଲା ସ୍ବାତୀ I ନୟାଗଡ ଜିଲ୍ଲା ରଣପୁର ବ୍ଲକ ଦଧିବାମନପୁର ଗାଁରେ ଘଟିଛି ଏହି ଦୁଃଖଦ ଘଟଣା I ପରୀ ହତ୍ୟାକାଣ୍ଡକୁ ନେଇ ଖୋଳତାଡ ଚାଲିଥିବା ବେଳେ ଗାଁ ଦାଣ୍ଡରୁ ନିଖୋଜ ହୋଇଯାଇଛି ସ୍ବାତୀ I ତିନିବର୍ଷର କୁନିଝିଅ ସ୍ବାତୀକୁ କିଏ, କାହିଁକି ନେଲା, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I ସ୍ବାତୀ ନିଖୋଜ ସଂପର୍କରେ ଥାନାରେ ଏତଲା ଦେବା ପରେ ପୋଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛି I ତେବେ ଦୁଇଦିନ ଭିତରେ ପୋଲିସ ଗାଁ ପୋଖରୀ, କୂଅ, ନାଳ, ବିଲ ପ୍ରଭୃତି ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ସ୍ବାତୀର ପତ୍ତା ପାଇବାରେ ବିଫଳ ହୋଇଛି I ଚାରିମାସ ତଳେ ଯାଜପୁର ଜିଲ୍ଲା ବିଂଝାରପୁର ଅଂଚଳରୁ ଦୁଇବର୍ଷର ଝିଅ ପିହୁ ନିଖୋଜ ହୋଇଥିବା ସଂପର୍କରେ ପୋଲିସରେ ଏତଲା ହୋଇଥିଲେ ବି ଏଯାଏଁ ଟେର୍ ପାଇନି ପୋଲିସ I ମିଳିଥିବା ସୂଚନା ଅନୁଯାୟୀ, ପ୍ରତିବର୍ଷ ରାଜ୍ୟରେ ହଜାର ହଜାର ଶିଶୁ ନିଖୋଜ ହେଉଛନ୍ତି I 2018 ସୁଦ୍ଧା ନିଖୋଜ ଶିଶୁମାନଙ୍କ ମଧ୍ୟରୁ 2352 ଜଣଙ୍କ ପତ୍ତା ପାଇନଥିଲା ପୋଲିସ I ସେହିପରି 2019ରେ 3151 ଜଣ ଶିଶୁ ନିଖୋଜ ଥିବା କୁହାଯାଇଛି I ପୋଲିସ ରେକର୍ଡରେ ଏପର୍ଯ୍ୟନ୍ତ ଚାରିହଜାରରୁ ଅଧିକ ଶିଶୁ ନିଖୋଜ ଥିବା କୁହାଯାଉଛି I ଯଦିଓ ନିଖୋଜ ଶିଶୁଙ୍କ ସନ୍ଧାନ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ମୁସ୍କାନ, ସ୍ମାଇଲ୍, ପରୀ ଭଳି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି, ତଥାପି ନିଖୋଜ ଶିଶୁଙ୍କ ଟେର୍ ପାଉନି ପୋଲିସ I ପ୍ରତିବର୍ଷ ଏତେସଂଖ୍ୟାରେ ଛୋଟ ପିଲା ନିଖୋଜ ହେଉଥିବା ଘଟଣା ରାଜ୍ୟରେ ଶିଶୁ ଚାଲାଣ କରୁଥିବା ରାକେଟ ସକ୍ରୀୟ ଥିବା ସ୍ପଷ୍ଟ ହୋଇଛି I ପୋଲିସ ଠିକଣା ଭାବେ ତଦନ୍ତ କରୁଥିଲେ ପିଲାଚୋରୀ ରାକେଟ୍ ଧରାପଡନ୍ତା I ମାତ୍ର ପୋଲିସ କେବଳ ନାମମାତ୍ରକୁ ଏତଲାଟିଏ ରେଜିଷ୍ଟର କରିଦେଇ ଚୁପ୍ ହୋଇ ବସିପଡିବା କାରଣରୁ ପିଲାଚୋରୀ ଘଟଣା ବଢିବାରେ ଲାଗିଛି I ନାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ରିପୋର୍ଟ ଅନୁଯାୟୀ ନିଖୋଜ ଶିଶୁଙ୍କୁ ଖୋଜି ପାଇବାରେ ଓଡିଶା ଜାତୀୟ ହାରରେ ସବୁଠୁ ତଳେ ରହିଛି I ନିଖୋଜ ଶିଶୁଙ୍କ ସନ୍ଧାନ କରିବାରେ ଓଡିଶା ପୋଲିସ 2019ରେ ମାତ୍ର 27 ପ୍ରତିଶତ ସଫଳତା ହାସଲ କରିଥିବା ବେଳେ 2018ରେ ଏହା 31 ପ୍ରତିଶତ ରହିଥିଲା I

LEAVE A REPLY

Please enter your comment!
Please enter your name here