ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ସିସିଟିଭି କ୍ୟାମେରା ଲଗାଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଚାରବିମର୍ଶ ଚାଲିଥିବା କଥା ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଛାତ୍ରୀମାନଙ୍କ ସୁରକ୍ଷା ସରକାରଙ୍କ ପାଇଁ ସର୍ବୋଚ୍ଚ ପ୍ରାଥମିକତା । ସ୍କୁଲ ପରିସରରେ ଏକ ସୁରକ୍ଷିତ ଶିକ୍ଷଣ ପରିବେଶ ସୃଷ୍ଟି କରିବା ପାଇଁ ଏହି ପଦକ୍ଷେପ ନିଆଯାଉଛି । ଆଗାମୀ ଦିନରେ ସ୍କୁଲ ଓ ଶ୍ରେଣୀଗୃହରେ ସିସିଟିଭି କ୍ୟାମେରା ଲଗାଯିବା ନେଇ ବିଭାଗ ଆଲୋଚନା କରୁଛି ଏବଂ ଏହାକୁ ଶୀଘ୍ର କାର୍ଯ୍ୟକାରୀ କରାଯିବ ।

ସିସିଟିଭି ସ୍ଥାପନ ସହିତ ରାଜ୍ୟର ସମସ୍ତ ସ୍କୁଲରେ ଆଇସିସି ଅର୍ଥାତ୍‌ ‘ଆଭ୍ୟନ୍ତରୀଣ ଅଭିଯୋଗ କମିଟି’ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ପ୍ରତି ବାଲେଶ୍ୱରରେ ଜଣେ ଛାତ୍ରୀଙ୍କ ଯୌନ ନିର୍ଯାତନା ଅଭିଯୋଗ ପରେ ଆତ୍ମହତ୍ୟା ଭଳି ଦୁଃଖଦ ଘଟଣା ପରେ ସ୍କୁଲ ଓ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହିସବୁ ପଦକ୍ଷେପକୁ ତ୍ୱରାନ୍ୱିତ କରିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିଜ ଅଧୀନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନରେ ଆଇସିସି ଗଠନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here