ମଧୁବାବୁ ଥିଲେ ଓଡିଆଙ୍କ ପରିଚୟର ପ୍ରତିଷ୍ଠାତା. ସେ କେବଳ ଓଡିଆ ଜାତିଙ୍କୁ ଏକ ସ୍ୱତନ୍ତ୍ର ରାଜ୍ୟ ପ୍ରଦାନ କରିନାହାନ୍ତି, ବରଂ ସେମାନଙ୍କୁ ଓଡିଆ ବୋଲି ପରିଚୟ ଦେଇଛନ୍ତି. ନିଜ ଜୀବନକୁ ତିଳ ତିଳ କରି ଜାଳି ସେ ଏହି ଜାତିକୁ ଆଲୋକ ଦେଖାଇଛନ୍ତି. ତା ବଦଳରେ ଆମେ ତାଙ୍କର ଅତୁଳନୀୟ ବଳିଦାନକୁ ମୂଲ୍ୟ ଦେବା ତ ଦୂରର କଥା ବରଂ ତାଙ୍କର ତ୍ୟାଗକୁ ଧୂଆଁ ଭଳି ଉଡାଇ ଦେଇଛୁ. କୃତଘ୍ନତା ପରିତ୍ୟାଗ କରି ଆମେ ଯଦି ତାଙ୍କ ପ୍ରତି କୃତଜ୍ଞ ହୋଇପାରିବା, ତେବେ ଏହା ହେବ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି. କିଛି ନହେଲେ ମଧ୍ୟ ଯଦି ଆଜି ତାଙ୍କ ଶ୍ରାଦ୍ଧ ଦିବସରେ ପ୍ରତିଟି ଘରେ ଗୋଟିଏ ଲେଖାଏଁ ଦୀପ ଜାଳି ପାରିବା, ତେବେ ଏହାଠାରୁ ଆଉ ମହତ କାମ ଆଉ କିଛି ହୋଇ ନ ପାରେ. ପ୍ରତିଟି ମାଆମାନେ ନିଜ ପିଲାଙ୍କୁ ମଧୁବାବୁଙ୍କର ଓଡିଆଙ୍କ ପ୍ରତି ଅବଦାନ ବିଷୟରେ କହିଲେ ଯାଇ ତାଙ୍କ ବିଷୟରେ ନୂତନ ପିଢି ଓଡିଆମାନେ ଜାଣିପାରିବେ. ଏହି ଭଳି କିଛି ବାକ୍ୟ ସହ ନିଜର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଥିଲେ ମୁଖ୍ୟ ଅତିଥି ତଥା ବିଶିଷ୍ଟ ସାହିତ୍ୟିକ ଏବଂ ମଧୁ ବିଶେଷଜ୍ଞ ଦାଶ ବେନଦୁର୍.

ଅବସର ଥିଲା ସ୍ୱତନ୍ତ୍ର ଓଡିଶା ପ୍ରଦେଶର ନିର୍ମାତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଶ୍ରାଦ୍ଧ ଦିବସ ଅବସରରେ ସମ୍ଭାବନା ଓଡିଆଣୀ ସମିତି ପକ୍ଷରୁ ଆୟୋଜିତ ମଧୁ ସ୍ମରଣ ସନ୍ଧ୍ୟା. ଏହି ଉତ୍ସବକୁ ସଂଯୋଜନା କରିଥିଲେ ସମ୍ଭାବନା ଓଡିଆଣୀ ସମିତିର ସଂଯୋଜିକା ସୌଦାମିନୀ ସାମଲ. ସମ୍ଭାବନା ସଂପାଦକ ତଥା ପରିଚାଳନା ଟ୍ରଷ୍ଟି ଦେବ ପ୍ରସାଦ ପରିଜା କାର୍ଯ୍ୟକ୍ରମ ସଂପର୍କରେ କହିବା ସହ ଧନ୍ୟବାଦ ଦେଇଥିଲେ. କାର୍ଯ୍ୟକ୍ରମ ପ୍ରାରମ୍ଭରେ କଣ୍ଠଶିଳ୍ପୀ ଛନ୍ଦା ମିଶ୍ର ମଧୁ ସଂଗୀତ ପରିବେଷଣ କରିଥିବା ବେଳେ ଟ୍ରଷ୍ଟି ସ୍ମୃତି ମହାନ୍ତିଙ୍କ ସହ ଓଡିଆଣୀ ରଶ୍ମି ସାହୁ, ମୀନା ପାଣିଗ୍ରାହୀ, ପଦ୍ମାଳୟା ଶତପଥୀ, ଅମ୍ବିକା ଆଚାର୍ଯ୍ୟ, ଜ୍ୟୋସ୍ନା ପତ୍ରୀ, ବିଦୁଲତା ସ୍ୱାଇଁ, ବିଦ୍ୟୁତପ୍ରଭା ନନ୍ଦ, କାଦମ୍ବିନୀ ପାଲ, ବିଜୟଲକ୍ଷ୍ମୀ ସା, ସନ୍ଧ୍ୟାରାଣୀ ସିଂ, ମଧୁସ୍ମିତା ରାୟ, ମଧୁସ୍ମିତା ସା ଓ ରାଜଶ୍ରୀ ଶତପଥୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ.

LEAVE A REPLY

Please enter your comment!
Please enter your name here