ଶୁକ୍ରବାର ଶ୍ରୀଜିଉଙ୍କ ନୀତିକାନ୍ତିରେ ବିଳମ୍ବ ହେବା ନେଇ ଶନିବାର ପୁରୀ ଗଜପତି ଦିବ୍ୟସିଂହ ଦେବ ନିଜ ପ୍ରତିକ୍ରିୟା ରଖି କ୍ଷୋଭ ପ୍ରକାଶ କରିଛନ୍ତି. ଏହି ସମସ୍ୟା ପଛରେ ରାଜ୍ୟ ସରକାର ଦାୟୀ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି. ଅନ୍ୟପଟେ 1960 ମସିହାରୁ ଏହି ଦାୟିତ୍ୱ ଗଜପତିଙ୍କ ଠାରୁ ହସ୍ତାନ୍ତର କରାଯାଇଛି. ରାଜାଙ୍କ କହିବାନୁସାରେ, ତାଙ୍କ ସମୟରେ ମହାପ୍ରଭୁଙ୍କ ପାଇଁ ସେବା ଓ ରାଜକାର୍ଯ୍ୟ ସବୁଠୁ ଶୀର୍ଷରେ ଥିଲା. ମାତ୍ର ବର୍ତ୍ତମାନ ସମୟରେ ସେ ସବୁ କିଛି ନାହିଁ. ସେ ସମୟରେ ଗଜପତି ନିଜେ ଶ୍ରୀଜଗନ୍ନାଥଙ୍କ ସେବାରେ ସମର୍ପିତ ଥିଲେ. ସେଥିପାଇଁ ଆଜି ସେହି କଥାକୁ ଆମେ ସମସ୍ତେ ସ୍ମରଣ କରିବା ଉଚିତ. ଏହାଛଡା ସରକାରଙ୍କ ଯୋଜନାରେ ମହାପ୍ରଭୁଙ୍କ ଯୋଜନାକୁ ସବୁଠୁ ଶୀର୍ଷରେ ରଖାଯାଉ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି. ଏବେ ଯେଉଁ ସମସ୍ୟା ସବୁ ଉପୁଜୁଛି ତାହା ଏକପ୍ରକାର ଧର୍ମ ଅବକ୍ଷୟମୁଖୀ. ଏହି ଧର୍ମ ରକ୍ଷାକୁ ନିଜ ଦାୟିତ୍ୱ ରୂପେ ଗ୍ରହଣ କରୁନାହାନ୍ତି ସରକାର. ଧର୍ମର ପ୍ରଚାର ଓ ପ୍ରସାର କିଏ କରିବ ବୋଲି ସେ ପ୍ରଶ୍ନ କରିଛନ୍ତି. ବର୍ତ୍ତମାନ ଏହାକୁ ପ୍ରାଥମିକତା ଦିଆଯାଉ ବୋଲି ସେ କହିଛନ୍ତି. ଅନ୍ୟପଟେ ଗଜପତିଙ୍କ ପ୍ରତିକ୍ରିୟାକୁ ସମର୍ଥନ କରି ନିଜର ପ୍ରତିକ୍ରିୟା ରଖିଛନ୍ତି ନରସିଂହ ମିଶ୍ର. ସେ ମଧ୍ୟ ଏହି ବିଳମ୍ବ ପାଇଁ ସମାନ ଢଙ୍ଗରେ ସରକାରଙ୍କୁ ଦାୟୀ କରିଛନ୍ତି. ରାଜ୍ୟରେ ବର୍ତ୍ତମାନ ଆଇନ କାନୁନ ସବୁ ଭୁଶୁଡି ପଡିଛି ଏବଂ ଶାସନ ବୋଲି କିଛି ନାହିଁ କହିଛନ୍ତି ନିରଞ୍ଜନ. ଏବେ ସବୁ ଶାସନ ଲୋକମାନଙ୍କ ହାତରେ ଅଛି. ବିଶେଷ କରି ପୁରୀରେ ଶାସନକୁ ଲୋକମାନେ ହାତକୁ ନେଲେଣି ବୋଲି ସେ କଟାକ୍ଷ କରି କହିଛନ୍ତି. ଏହାଛଡା ପୁରୀ ମୁଖ୍ୟ ପ୍ରଶାସକ ମଧ୍ୟ ଏଥିପାଇଁ ସେବାୟତଙ୍କୁ ଦାୟିତ୍ୱବାନ୍ ହେବାକୁ ପରାମର୍ଶ ଦେଇଛନ୍ତି. ସେ କହିଛନ୍ତି ଏହି ଘଟଣା ହେଉଛି ଅତ୍ୟନ୍ତ ଦୁଃଖଦାୟକ ଏବଂ ଏଭଳି ଘଟଣାର ପୁନରାବତ୍ତି ହେବା ଉଚିତ୍ ନୁହେଁ.