ନୂଆ ଉତ୍ସାହ ନୂଆ ଉଦ୍ଦିପନା ନେଇ ଆସୁଛି ନୂଆଖାଇ । ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇରେ ନବାନ୍ନ ପାଳନ କରିବାକୁ କେହି ବି ହାତ ଛଡା କରିବାକୁ ଚାହାଁନ୍ତିନି । ମହିଳାମାନେ ଘରକରଣା ଜିନିଷ ଓ ଲୁଗାପଟା ସଫା ସୁତୁରା କରିବା ସହ ଘରଦ୍ୱାର ଲିପା ପୋଛା କରିବାରେ ଲାଗି ପଡିଛନ୍ତି । ନୂଆଖାଇ ପାଇଁ ସବୁ ନୂଆ । ତେଣୁ ବଜାରରେ ମାଟି ହାଣ୍ଡି, କୁଲା ଖଡିକା ନୂଆଁ ଧାନ ଓ ଚୂଡା ସଂଗ୍ରହ ପାଇଁ ଭିଡ ଜମି ଥô୍ବା ବେଳେ କୁମ୍ଭାର ଓ ବେପାରୀମାନେ ଭଲ ଦୁଇ ପଇସା ରୋଜଗାର କରିଛନ୍ତି । ଖାଲି ସେତିକି ନୁହେଁ ଛେଳି ମେଣ୍ଟା କିଣାବିକା ପାଇଁ ବଜାର ରେ ନାହିଁ ନ ଥô୍ବା ଭିଡ ଜମିଛି । ବୌଦ୍ଧ ଜିଲ୍ଲାରେ ମଧ୍ୟ ଚାଲିଛି ଜୋରସୋରରେ ପ୍ରସ୍ତୁତି । ନବାନ୍ନ ଭକ୍ଷଣ ଲାଗି ବାହାରେ ଥିବା ଲୋକମାନେ ଘର ମୁହାଁ ହେଲେଣି । ସେଠିକାର ମାଟି କାରିଗରମାନଙ୍କୁ ଆଉ ଫୁରୁସତ ନାହିଁ । ନୂଆଖାଇରେ ଧନୀ ହେଉ କି ଗରିବ ସମସ୍ତେ ନୂଆ ହାଣ୍ଡିରେ ରାନ୍ଧିବାର ପରମ୍ପରା ରହିଛି । ସେଥିପାଇଁ କୁମ୍ଭାର ମାନେ ମାଟି ହାଣ୍ଡି ତିଆରି କରିବାରେ ବ୍ୟସ୍ତ । ନୂଆଖାଇ ହେଉଛି ମହାନ କୃଷି ଭିତ୍ତିକ ଗଣପର୍ବ ଏବଂ ଏହା ପ୍ରକୃତି ସାଙ୍ଗେ ଅଙ୍ଗାଙ୍ଗୀ ଭାବେ ଜଡିତ । ଏଥିପାଇଁ ସମସ୍ତେ କଂସାବାସନ ବ୍ୟବହାର ନକରି ନୂଆହାଣ୍ଡିରେ ଖାଦ୍ୟ ପ୍ରସ୍ତୁତି କରି ମାଆଙ୍କୁ ନବାନ୍ନ ଅର୍ପଣ କରିଥାନ୍ତି । ଗାଁର ଇଷ୍ଟଦେବୀଙ୍କୁ ନୂଆ ହାଣ୍ଡିରେ ଭୋଗ ଲଗାଯିବାର ପରମ୍ପରା ରହିଛି । ଏବଂ ବନ୍ଧୁ ବାନ୍ଧବଙ୍କ ଘରକୁ ନୂଆହାଣ୍ଡି ଦ୍ୱାରା ପନିପରିବା ଦ୍ରବ୍ୟ ଏହି ଉତ୍ସବ ପାଇଁ ପଠାଯାଇଥାଏ । ସମସ୍ତେ ଏକାଠି ବସି ନୂଆଖାଇବା ପରେ ସାନମାନେ ବଡମାନଙ୍କୁ ମୁଣ୍ଡିଆ ମାରିଥାନ୍ତି ।