ଶିମିଳିପାଳକୁ ପିକ୍ନିକ୍ କରିବାକୁ ଆସୁଛନ୍ତି କି । ଆସନ୍ତୁ, କିନ୍ତୁ ଟିକେ ସତର୍କ ଥିବେ । ଯେକୌଣସି ସମୟରେ ଆପଣଙ୍କ ପିକନିକ ପାର୍ଟିରେ ବବଲୁ ସାମିଲ ହେବାର ସମ୍ଭାବନା ରହିଛି । ହେଇ ଦେଖନ୍ତୁ, ବବଲୁ କଥା କହୁ କହୁ ବବଲୁ ଆସି ପହଂଚି ଗଲାଣି । ଆଉ ବବଲୁକୁ ଦେଖି ପିକନିକ୍ କରିବାକୁ ଯାଇଥିବା ପର୍ଯ୍ୟଟକ ଯିଏ ଯୁଆଡେ ପାରିଲେ, ଡିଆଁ ମାରି ପଳେଇଲେ । ଦେଖନ୍ତୁ, ଜଣେ କେମିତି ଗଛ ଉପରେ ବସି ବବଲୁର କାରନାମା ଦେଖୁଛନ୍ତି । ବବଲୁ କାହାର କିଛି ଅନିଷ୍ଟ କରିନି, କିନ୍ତୁ ତାର ଚାରି ଗୋଡ ବନ୍ଧା ନ ହେଇଥିଲେ ପିକନିକର ମଜା ପୁରା ବାହାରି ପଡିଥାନ୍ତା । ଅବଶ୍ୟ ଶିମିଳିପାଳ ଜଙ୍ଗଲ ଭିତରେ ପିକନିକ କରିବାକୁ ଯାଇ ଯଦି ବବଲୁକୁ ସାମିଲ ନ କରିବେ, ତାହେଲେ ପିକନିକର ମଜା ଆସିବନି । ଆପଣ ଏ ଯେଉଁ ଦୃଶ୍ୟ ଦେଖୁଛନ୍ତି, ତାହା ହେଉଛି, ଶିମିଳିପାଳ ଅଭୟାରଣ୍ୟ ପିଠାବଟା ରେଂଜ ଅଧିନ ସୀତାକୁଣ୍ଡ ସ୍ଥାନ । ଅତି ସୁନ୍ଦର ପ୍ରାକୃତିକ ପରିବେଶ । ନୂଆବର୍ଷ ଆସିବା ଆଗରୁ ପିକନିକ୍ କରୁଥିଲେ ପର୍ଯ୍ୟଟକମାନେ । ଡିଜେ ସହିତ ତାଳ ଦେଇ ଚାଲିଥିଲା ରୋଷେଇ । ବଣଭୋଜିର ବାତ୍ସ୍ନା ପାଇ ହଠାତ୍ ପହଂଚି ଯାଇଥିଲା ବବଲୁ । ହାତୀ ବବଲୁକୁ ଦେଖି ଲୋକେ ଭୟଭୀତ ହୋଇ ଚିଲେଇବା ଆରମ୍ଭ କରିଥିଲେ । କିଏ କିଏ ଜୀବନ ବଞ୍ଚାଇବାକୁ ଯାଇ ପିଲାଛୁଆଙ୍କୁ ଧରି ପ୍ରାଣ ବିକଳରେ ଦଉଡିବା ଆରମ୍ଭ କରିଥିଲେ । ଆଉ ସେପଟେ ବବଲୁ ଯାହା ପାରିଥିଲା, ଫିଙ୍ଗା ଫୋପଡା କରିବା ଆରମ୍ଭ କରିଥିଲା । ଭାଗ୍ୟଭଲ ଥିଲା, ବବଲୁର ଗୋଡ ଲୁହା ଶିକୁଳିରେ ବନ୍ଧା ହୋଇଥିଲା । ମାହୁନ୍ତ ଓ ବନ ବିଭାଗ କର୍ମଚାରୀ ପହଂଚି ବବଲୁକୁ କାବୁ କରିନେବା ପରେ ଆଶ୍ୱସ୍ତ ହୋଇଥିଲେ ପର୍ଯ୍ୟଟକ ।

LEAVE A REPLY

Please enter your comment!
Please enter your name here