ରଥଯାତ୍ରାରେ ପ୍ରବଳ ଭିଡ଼ ଭିତରେ ଗତକାଲି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ନିକଟରେ ପେଲାଠେଲା ଫଳରେ 10ରୁ ଅଧିକ ଭକ୍ତ ଆହତ ହୋଇଥିଲେ । ସେହିପରି ରଥ ଟଣା ବେଳେ ବଡ଼ଦାଣ୍ଡରେ ପ୍ରବଳ ଗୁଳୁଗୁଳି ହେତୁ ପ୍ରାୟ 742 ଭକ୍ତ ଅସୁସ୍ଥ ହୋଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଅନ୍ୟପଟେ ସମୁଦ୍ରରେ ଗାଧୋଇବା ସମୟରେ ଜୁଆର ମାଡରେ ଅନେକ ପର୍ଯ୍ୟଟକ ଆହତ ହୋଇଥିବା ବେଳେ କିଛି ଭକ୍ତ ବଡ଼ଦାଣ୍ଡରେ ନିଖୋଜ ହୋଇଥିବା ଜଣାପଡ଼ିଛି । ତେବେ ଚଳିତ ରଥଯାତ୍ରାରେ କେହି ମୃତାହତ ହୋଇନାହାନ୍ତି । ଗତକାଲି ମୋଟ 3500 ଲୋକ ବିଭିନ୍ନ ସ୍ୱାସ୍ଥ୍ୟ ଗତ କାରଣ ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପୁରୀ ଆଇଡିଏଚ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ରଥ ଟଣା ବେଳେ ଗୁଳୁଗୁଳିରେ ବେହୋସ ହୋଇ ଓ ବିଭିନ୍ନ କାରଣରୁ ଖଣ୍ଡିଆ ଖାବରା ହୋଇ 742 ଜଣ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଇତି ମଧ୍ୟରେ 480 ଜଣଙ୍କୁ ଚିକିତ୍ସା କରାଯାଇ ଛାଡି ଦିଆଯାଇଛି ।













