ପୁଣେ: ମରାଠା କ୍ରାନ୍ତି ସମାଜ ପକ୍ଷରୁ ରାଜ୍ୟ ବ୍ୟାପୀ ବନ୍ଦ ଡାକରା ପ୍ରତ୍ୟାହାର କରିନିଆଯିବା ପରେ ମହାରାଷ୍ଟ୍ରରେ ମରାଠା ସଂରକ୍ଷଣକୁ ନେଇ ଜାରି ଆନ୍ଦୋଳନ ପ୍ରଶମିତ ହେବ ବୋଲି ଯାହା ଅନୁମାନ କରାଯାଉଥିଲା ତାହା ଭୁଲ୍ ପ୍ରମାଣିତ ହୋଇଛି । ଗୋଟିଏ ଦିନର ନୀରବତା ପରେ ଆନ୍ଦୋଳନକାରୀ ପୁଣି ନିଜ ହିଂସ୍ର ରୂପ ଦେଖାଇଛନ୍ତି । ସୋମବାର ପୁଣେ ସହରାଞ୍ଚଳରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି । ବ୍ୟାପକ ଭଙ୍ଗାରୁଜା କରିବା ସହ ୪ଠରୁ ଅଧିକ ବସ୍ ଓ ଅନ୍ୟାନ୍ୟ ଗାଡିମଟରକୁ ବିକ୍ଷୋଭକାରୀମାନେ ପୋଡି ଦେଇଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନ ପକ୍ଷରୁ ପୁଣେ ଓ ଚକନ୍ ଅଞ୍ଚଳରେ କର୍ଫୁ୍ୟ (ଧାରା ୧୪୪) ଲାଗୁ କରାଯାଇଛି । ଅନ୍ୟପକ୍ଷେ ମରାଠା ସଂରକ୍ଷଣ ଦାବିରେ ରବିବାର ବିଳମ୍ବିତ ରାତି ସମୟରେ ପ୍ରମୋଦ ଜୟସିଂହ ହୋରେ (୩୫) ନାମକ ଆଉ ଜଣେ ପ୍ରତିବାଦକାରୀ ଯୁବକ ଔରଙ୍ଗାବାଦ ମୁକୁନ୍ଦୱାଡି ଅଞ୍ଚଳରେ ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

ମରାଠା ସଂରକ୍ଷଣ ଦାବିରେ ଆରମ୍ଭ ହୋଇଥିବା ଏହି ଆନେ୍ଦାଳନ ରାଜ୍ୟର ଅଧିକାଂଶ ଅଞ୍ଚଳକୁ ଏବେ ଗ୍ରାସ କରିବାରେ ଲାଗିଛି । ତେବେ କେତେକ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ଏହି ଦାବି କରାଯାଉଥିବା ବେଳେ ଆଉ କେତେକ ଅଞ୍ଚଳରେ ଏହା ହିଂସାର ରୂପ ନେଇଛି । ବିଶେଷକରି ସୋମବାର ପୁଣେରେ ମରାଠା ସଂରକ୍ଷଣ ଆନ୍ଦୋଳନ ହିଂସାପୂର୍ଣ୍ଣ ହୋଇଉଠିଥିଲା । ପ୍ରଦର୍ଶନକାରୀ ବ୍ୟାପକ ଭଙ୍ଗାରୁଜା କରିବା ସହିତ ପୋଡ଼ାଜଳା ମଧ୍ୟ କରିବା ଦେଖିବାକୁ ମିଳିଥିଲା । ପୁଣେ-ନାସିକ ହାଇୱେ ସ୍ଥିତ ଚକନ୍ ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ରାଜ୍ୟ ପରିବହନ ବିଭାଗ ଓ ପୁଣେ ନଗରପାଳିକାର ୨୫ଟି ବସ୍ ଏବଂ ଅନ୍ୟ ରାଜ୍ୟରୁ ଆସିଥିବା ପ୍ରାୟ ୧୫ଟି ବସ୍ରେ ନିଆଁ ଲଗାଇ ଦେଇଥିଲେ । ସେମାନଙ୍କୁ ଘଉଡାଇବା ପାଇଁ ମୁତୟନ ହୋଇଥିବା ସୁରକ୍ଷାକର୍ମୀ ଉଦ୍ୟମ କରିବାରୁ ବିକ୍ଷୋଭକାରୀ ସେମାନଙ୍କ ଉପରେ ଢ଼େଲା ପଥର ମାଡ଼ କରିଥିଲେ । ବାଧ୍ୟ ହୋଇ ସୁରକ୍ଷାକର୍ମୀଙ୍କୁ ପାଣିମାଡ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡିଥିଲା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାସନ ପକ୍ଷରୁ ଉତ୍ତେଜନାପୂର୍ଣ୍ଣ ପୁଣେ ଅଞ୍ଚଳରେ ଧାରା ୧୪୪ ଲାଗୁ କରାଯାଇଛି । ଯାନବାହାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ୨ଜଣରୁ ଅଧିକ ବ୍ୟକ୍ତିଙ୍କୁ ଏକତ୍ର ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯିବା ସହ ବ୍ୟାପକ ସୁରକ୍ଷାକର୍ମୀ ମୁତୟନ କରାଯାଇଛି । ତେବେ ଆଜିର ଏହି ହିଂସାକାଣ୍ଡ ପଛରେ ମରାଠା କ୍ରାନ୍ତି ସମାଜର ହାତ ରହିଥିବା ସନ୍ଦେହ କରାଯାଉଛି । ସୂଚନାଥାଉ କି, ଗତ ଶୁକ୍ରବାର ମଧ୍ୟ ମୁମ୍ବାଇ ଅଞ୍ଚଳରେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରତିବାଦକାରୀମାନେ କେତେକ ବସ୍, ଟ୍ରକକୁ ପୋଡିଦେଇଥିଲେ । ବସ୍, ଟ୍ରେନ୍ ଚଳାଚଳକୁ ବନ୍ଦ ରଖାଯାଇଥିଲା ।

ପ୍ରକାଶ ଯେ, ରାଜ୍ୟ ସରକାର ମରାଠା ସମ୍ପ୍ରଦାୟ ପାଇଁ ସରକାରୀ ନିଯୁକ୍ତି ଏବଂ ଶିକ୍ଷା କ୍ଷେତ୍ରରେ ୧୬% ସଂରକ୍ଷଣ ଲାଗୁ କରିବାକୁ ଚାହୁଁଥିବା ବେଳେ ଏହାକୁ ୩ଠ% ପର୍ଯ୍ୟନ୍ତ ବୃଦ୍ଧି କରିବା ଦାବିରେ ମରାଠା ସମ୍ପ୍ରଦାୟ ଆନେ୍ଦାଳନ ଜାରି ରଖିଛନ୍ତି । ଗତ କିଛି ଦିନ ମଧ୍ୟରେ ସମଗ୍ର ରାଜ୍ୟରେ ଏହି ଆନେ୍ଦାଳନ ହିଂସାତ୍ମକ ରୂପ ନେଇଛି । ଚାରିଆଡେ ପୋଡାଜଳା ସହ ଆତ୍ମହତ୍ୟା ଉଦ୍ୟମ ହୋଇଛି । ମରାଠା ସଂରକ୍ଷଣ ଦାବି କରୁଥିବା ଗୋଷ୍ଠୀଙ୍କ ମଧ୍ୟରୁ କାକାସାହେବ ଦତ୍ତାତ୍ରେୟ ନାମକ ଜଣେ ୨୬ବର୍ଷୀୟ ଯୁବକ ଗୋଦାବରୀ ନଦୀକୁ ଡେଇଁ ଆତ୍ମହତ୍ୟା କରିବା ପରେ ରାଜ୍ୟରେ ଏପ୍ରକାର ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷକରି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ୍ ଆଗାମୀ ଦିନରେ ୭୨ହଜାର ସରକାରୀ ନିଯୁକ୍ତି ପାଇଁ ଘୋଷଣା କରିଥିବା ବେଳେ ମରାଠାଙ୍କ ପାଇଁ ମାତ୍ର ୧୬% ସଂରକ୍ଷଣ ଲାଗୁ କରାଯିବ ବୋଲି କହିଥିଲେ । ଏହାକୁ ନେଇ ମରାଠାବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଗୋଟିଏ ପଟେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଏହି ପ୍ରସଙ୍ଗରେ ମରାଠା ସମୁଦାୟଙ୍କ ସହ ଆଲୋଚନା କରି, ସର୍ବଦଳୀୟ ବୈଠକରେ ସମସ୍ତଙ୍କ ପରାମର୍ଶ ଲୋଡି ବିକ୍ଷୋଭକାରୀଙ୍କୁ ଶାନ୍ତ କରିବାକୁ ବୃଥା ପ୍ରୟାସ କରୁଥିବା ବେଳେ ଅନ୍ୟପଟେ ବିରୋଧୀ କଂଗ୍ରେସ, ରାଜ୍ୟପାଳ ବିଦ୍ୟାସାଗର ରାଓଙ୍କୁ ଚିଠି ଲେଖି ମାମଲାରେ ହସ୍ତକ୍ଷେପ କରିବାକୁ ଅପିଲ କରିଛି ।

LEAVE A REPLY

Please enter your comment!
Please enter your name here