ଛତିଶଗଡ ପୁଣିଥରେ ଓଡିଶାର ଲାଇଫଲାଇନ୍ କୁହାଯାଉଥିବା ମହାନଦୀ ଉପରେ ତାର ଏକଚାଟିଆ ଅଧିକାର ଜାହିର କରିଛି. ଯଦିଓ ଓଡିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ଜଳକୁ ନେଇ ହୋଇଥିବା ବିବାଦ  ଟ୍ରିବ୍ୟୁନାଲରେ ବିଚାରଧୀନ ଅଛି, ତଥାପି ଛତିଶଗଡ ସରକାର ମହାନଦୀ ଉପରେ ନିର୍ମାଣ କରି ଥିବା 4 ଟି ବ୍ୟାରେଜର ଗେଟ୍ ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି . ବ୍ୟାରେଜ ଗେଟ ବନ୍ଦ ହୋଇଗଲେ ଓଡିଶାରେ ମହାନଦୀ ଅବବାହିକାରେ ପାଣି ଆସିବା ବନ୍ଦ ହୋଇଯିବ. ମହାନଦୀ କୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଜଳସଂକଟ ଦେଖାଯିବ. ମୌସୁମୀ ସମୟରେ ପଡୋଶୀ ରାଜ୍ୟ ଛତିଶଗଡ ରବିଶଙ୍କର ଡ୍ୟାମରୁ ମହାନଦୀକୁ ଜଳ ନିଷ୍କାସିତ କରୁଥିଲା, ଯାହା ଫଳରେ ଓଡିଶାରେ ଏକ ପ୍ରକାର ବନ୍ୟା ସୃଷ୍ଟି ହେଉଥିଲା. କିନ୍ତୁ ଏବେ ମୌସୁମୀ ସରିଯିବା ମାତ୍ରେ ଛତିଶଗଡ ଏହି 4 ଟି ବ୍ୟାରେଜର ଗେଟ୍ ବନ୍ଦ କରିବା ଦ୍ବାରା ମହାନଦୀ ଉପରେ ନିର୍ଭର କରୁଥିବା ଓଡିଶାର 15 ଟି ପ୍ରମୁଖ ଜିଲ୍ଲାର ବାସିନ୍ଦା ସିଧାସଳଖ ପ୍ରଭାବିତ ହେବେ. ଅନ୍ୟପଟେ କିଛିଦିନ ହେବ ବର୍ଷା ନ ହେବାରୁ ହୀରାକୁଦର ଜଳସ୍ତର ଯେତିକି ରହିବା କଥା ସେତିକି ନାହିଁ. ହୀରାକୁଦ ଡ୍ୟାମ୍  କତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ହୀରାକୁଦରେ ଜଳସ୍ତର 629.45 ଫୁଟ ସେପ୍ଟେମ୍ବର 29ରେ ଥିଲା, ଯେତେବେଳେ ପ୍ରକୃତରେ ଜଳସ୍ତର 630 ଫୁଟ୍ ରହିବା କଥା. ରିପୋର୍ଟ ଅନୁସାରେ, ଅକ୍ଟୋବର 2 ତାରିଖରେ ଡ୍ୟାମ୍ ରେ 10,521 କ୍ୟୁସେକ୍ସ ଜଳ ଥିଲା. ସେତେବେଳେ ଏହାକୁ 629.52 ଫୁଟ୍ ବୋଲି ରେକର୍ଡ କରାଯାଇଥିଲା. ସେଥିରୁ 10,000 କ୍ୟୁସେକ୍ସ ଜଳକୁ ବୁରାଲ ପାୱାର ହାଉସକୁ ଛଡା ଯାଇଥିଲା. ଏହା ମଧ୍ୟରେ ଛତିଶଗଡ 4 ଟି ବ୍ୟାରେଜ୍ ର ଗେଟକୁ ବନ୍ଦ କରିବା ପାଇଁ ଅକ୍ଟୋବର 1 ତାରିଖରୁ ପ୍ରକ୍ରିୟା ଆରମ୍ଭ କରିଥିବାରୁ ଆଗାମୀ ଦିନରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତରର ପରିମାଣ ଆହୁରି କମିଯିବ ବୋଲି ଆଶଙ୍କା କରାଯାଉଛି. ଯଦି ଅକ୍ଟୋବର 10 ତାରିଖ ମଧ୍ୟରେ ବର୍ଷା ନ ହୁଏ ତାହାଲେ ଛତିଶଗଡ କଲମା ଡ୍ୟାମର ସମସ୍ତ ଗେଟକୁ ବନ୍ଦ କରିଦବ. ଯାହାଫଳରେ ହୀରାକୁଦରୁ ମହାନଦୀକୁ ଯାଉଥିବା ଜଲସ୍ତରର ପରିମାଣ ସଂପୂର୍ଣ୍ଣ ରୂପେ କମ୍ ହୋଇଯିବ.

LEAVE A REPLY

Please enter your comment!
Please enter your name here