କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ପଦରୁ ପ୍ରଦୀପ ମହାରଥୀଙ୍କ ଇସ୍ତଫା ପରେ ଦୁଇ ନୂଆ ମନ୍ତ୍ରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି. ଏହି ଦୁଇ ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଓ ମନ୍ତ୍ରୀ ରମେଶ ମାଝୀ. ରମେଶ ମାଝୀଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ଦାୟିତ୍ୱ ଦିଆଯାଇଥିବା ବେଳେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ କୃଷି ଓ ପଶୁସମ୍ପଦ ବିକାଶ ଦାୟିତ୍ୱ ଦିଆଯାଇଛି. ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପିପିଲି ପୀଡିତାଙ୍କ ଘଟଣା ଉପରେ କୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ, ସତ୍ୟର ଜୟ ହୋଇଛି ଏବଂ ପୀଡିତାଙ୍କୁ ନ୍ୟାୟ ମିଳିଛି ବୋଲି କହିଥିଲେ ମନ୍ତ୍ରୀ ପ୍ରଦୀପ ମହାରଥୀ. ତାଙ୍କର ଏହି ମନ୍ତବ୍ୟକୁ ନେଇ ପୀଡିତାଙ୍କ ପରିବାର ପ୍ରତିବାଦ କରିବା ସହ ବିଜେପି, କଂଗ୍ରେସ ମଧ୍ୟ ଏହାକୁ ପ୍ରତିବାଦ କରିଥିଲେ ଓ ମହାରଥୀଙ୍କ ଘର ଆଗରେ ବିକ୍ଷୋଭ କରିଥିଲେ. ପରବର୍ତ୍ତୀ ସମୟରେ ଶେଷରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମହାରଥୀ. ମାତ୍ର ଅନ୍ୟପଟେ ମନ୍ତ୍ରୀଙ୍କ ଇସ୍ତଫା ପରେ ପୀଡିତାଙ୍କ ବାପା କହିଛନ୍ତି ‘ମନ୍ତ୍ରୀ ଇସ୍ତଫା ଦେଇ ଦେଲେ କ’ଣ ମୋ ଝିଅକୁ ନ୍ୟାୟ ମିଳିଗଲା. ଯଦି ମୋ ଝିଅ ମହାରଥୀଙ୍କ ଝିଅ ହୋଇଥାନ୍ତା, ତାହେଲେ ସେ କ’ଣ ଏପରି କହିଥାନ୍ତେ ? ମୋ ଝିଅକୁ ନ୍ୟାୟ ଦରକାର, ଦୋଷୀକୁ ଫାଶୀ ହେଲେ ମୋ ଝିଅକୁ ନ୍ୟାୟ ମିଳିବ ଆଉ ତା ଆତ୍ମା ଶାନ୍ତି ପାଇବ’ ବୋଲି କହିଛନ୍ତି ମୃତ ପୀଡିତାଙ୍କ ବାପା.

LEAVE A REPLY

Please enter your comment!
Please enter your name here