ଯୌତୁକ ପାଇଁ ବୋହୂର ଜୀବନ ନେଇଗଲେ ଶାଶୂଘର ଲୋକେ । ଆଉ ଏଥିରେ ସାମିଲ ଥିଲେ ସ୍ୱାମୀ । ଏମିତି ଅଭିଯୋଗ ଆଣିଛନ୍ତି ଝିଅର ପରିବାର ଲୋକେ । ବଡ ଧୂମଧାମରେ ନିକଟରେ ବାହାଘର ହୋଇଥିଲା । ଉଭୟ ବେଶ୍ ଖୁସି ଥିଲେ । ହେଲେ ଘରୋଇ କଳି ଏବଂ ଯୌତୁକ ଶେଷରେ ଝିଅର ଜୀବନ ନେଇଗଲା । ଏମିତି ଘଟଣା ଆଜି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଆଉ ଏହି ଘଟଣା କେଉଁ ଅପହଁଞ୍ଚ ଇଲକାରର ନୁହଁ ବରଂ ରାଜଧାନୀ ଭୁବନେଶ୍ୱରର । ଭୁବନେଶ୍ୱର ତମାଣ୍ଡୋ ଥାନା କଳିଙ୍ଗବିହାର ଅଞ୍ଚଳରେ ଘଟିଛି ଏମିତି ନୃଶଂସ ହତ୍ୟାକାଣ୍ଡ । ମୃତ ଝିଅ ବନ୍ଦନା ଜେନାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସୂଚନାଅନୁସାରେ ଭୀମଟାଙ୍ଗି ଅଞ୍ଚଳର ବନ୍ଦନା ଜେନା ଫେବ୍ରୁଆରୀ ମାସରେ କଳିଙ୍ଗବିହାରର ଅବସରପ୍ରାପ୍ତ ହାବିଲଦାର ବିଜୟ ଗୋଚ୍ଛାୟତଙ୍କ ପୁଅ ଜାମିନ ଜେନାଙ୍କୁ ବିବାହ କରିଥିଲେ । ତେବେ ମାର୍ଚ୍ଚ ମାସରୁ ବନ୍ଦନାଙ୍କ ଉପରେ ନିର୍ଯାତନା ଦିଆଯାଉଥିବାର ଅଭିଯୋଗ ଆଣିଛନ୍ତି ବନ୍ଦନାଙ୍କ ମା । ଝିଅ ଅତ୍ୟାଚାର ସହି ନପାରି ଘରକୁ ଫୋନ କଲେ କିମ୍ବା ଘରକୁ ଚାଲି ଆସିଲେ ମୁଁ ତାକୁ ବୁଝାଇ ସୁଝାଇ ଶାଶୂଘରେ ଛାଡିଦିଏ ବୋଲି ବନ୍ଦନାଙ୍କ ମା କହିଛନ୍ତି । କିନ୍ତୁ ଶନିବାର ଦିନ ବନ୍ଦନାଙ୍କର କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ବନ୍ଦନାଙ୍କ ବେକରେ ଚିହ୍ନ ଥିବା ଓ ଶରୀର ବିଭିନ୍ନ ସ୍ଥାନରେ ଦାଗ ପଡିଥିବା ଅଭିଯୋଗ ଆଣି ପରିବାର ଲୋକେ ସନ୍ଦେହ କରିଛନ୍ତି । ଆଉ ଶଶୁର ଅବସରପ୍ରାପ୍ତ ହାବିଲଦାର ଥିବାରୁ ପୋଲିସ ଏହି କେସକୁ ହାଲକା ଭାବରେ ନେଉଛି ବୋଲି ବନ୍ଦନାଙ୍କ ମା କହିଛନ୍ତି ।

LEAVE A REPLY

Please enter your comment!
Please enter your name here