ରାସ୍ତା କଡରେ ସନ୍ତାନ ପ୍ରସବ । ବ୍ରହ୍ମପୁରର ଜନଗହଳି ପୂର୍ଣ୍ଣ କୋଟପେଟା ଛକରେ ଅଭାବନୀୟ ଦୃଶ୍ୟ । ବ୍ରହ୍ମପୁର ମେଡିକାଲ ଠାରୁ ମାତ୍ର ଅଧା କିଲୋମିଟର ଦୂରରେ ଘଟିଛି ଏଭଳି ଘଟଣା । ମହିଳା ଜଣକ ରାସ୍ତାରେ ଚାଲି ଚାଲି ଯାଉଥିବାବେଳେ ପ୍ରସବ ବେଦନା ହୋଇଥିଲା । ରାସ୍ତା ଉପରେ ସର୍ବ ସମ୍ମୁଖରେ ମହିଳା ଜଣଙ୍କ ସନ୍ତାନ ପ୍ରସବ କରିଥିଲେ । ରାସ୍ତାରେ ଶହ ଶହ ଲୋକ ଯିବା ଆସିବା କରୁଛନ୍ତି । ଜଣେ ପଥଚାରୀ ମହିଳାଙ୍କ ସହାୟତାରେ କନ୍ୟା ସନ୍ତାନ ପ୍ରସବ କରିଥିଲେ । ଏହାପରେ ଉଭୟ ମହିଳା ଓ ଶିଶୁ କନ୍ୟାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ବ୍ରହ୍ମପୁର ସହରରେ ଏଭଳି ଏକ ଘଟଣା ଘଟିବା ସମସ୍ତଙ୍କୁ ବିଚଳିତ କରିଦେଇଛି । ଅନ୍ୟପଟେ ମହିଳା ଜଣଙ୍କ ରାସ୍ତାରେ ଘଣ୍ଟାଏ ପଡି ଯନ୍ତ୍ରଣା ପାଇବା ପରେ ମଧ୍ୟ ଆମ୍ବୁଲାନ୍ସ ପାଇଁ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ପହଁଞ୍ଚିନଥିବା ଅଭିଯୋଗ ହୋଇଛି । ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କର ସମ୍ପର୍କୀୟ ମାନେ ବସ୍ ଯୋଗେ ବ୍ରହ୍ମପୁରକୁ ଆଣିଥିଲେ । ବସ୍ ଷ୍ଟାଣ୍ଡରୁ ଓହ୍ଲାଇବା ପରେ ଯନ୍ତ୍ରଣା ବଢିଯିବାରୁ ପ୍ରସୁତି ଜଣକ ଚାଲି ଚାଲି ମେଡିକାଲକୁ ଯିବା ଆଉ ସମ୍ଭବପର ନଥିଲା । ତାପରେ ପେଟ୍ରୋଲ ଛକ ଠାରେ ସେ ରାସ୍ତା ଉପରେ ଶୋଇଯାଇଥିଲେ । ଆଉ ସେଇଠାରେ ହିଁ ଶହ ଶହ ଲୋକଙ୍କ ସାମ୍ନାରେ ଜନ୍ମ ଦେଇଥିଲେ ସନ୍ତାନ ।

LEAVE A REPLY

Please enter your comment!
Please enter your name here