ଭୁବନେଶ୍ବର : ସାମ୍ବାଦିକଙ୍କୁ ନେପାଳୀ ମାଡ ଦରକାର ବୋଲି ବିଜେଡି ନେତା ତଥା ଗତ ଲୋକସଭା ନିର୍ବାଚନରେ ଭୁବନେଶ୍ବର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟଙ୍କ ମନ୍ତବ୍ୟକୁ ନେଇ ‘ଆମ ସ୍ବର’ ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଛି । ଏଭଳି ଅରୁଚିକର, ଅଶୋଭନୀୟ ମନ୍ତବ୍ୟରୁ ନିବୃତ୍ତ ରହିବା ସହ କ୍ଷମା ପ୍ରାର୍ଥନା କରିବାକୁ ଆମ ସ୍ବର ପକ୍ଷରୁ ଦାବି କରାଯାଇଛି ।
ଆଜି ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆମସ୍ବର ଅନୁଷ୍ଠାନର ଆବାହକ ଦେବ ପ୍ରସାଦ ପରିଜା ଏବଂ ସାମ୍ବାଦିକ ଅପୂର୍ବ କୁମାର ମହାନ୍ତି, ଦେବସ୍ମିତା ମହାନ୍ତି ଓ ମଧୁଲିତା ପରିଡା ବିଜେଡି ନେତା ମନ୍ମଥ ରାଉତରାୟଙ୍କ ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ ଏବଂ ସାମ୍ବାଦିକଙ୍କ ପ୍ରତି ଚରମ ଅପମାନଜନକ ବୋଲି କହିଛନ୍ତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଥିବା ବେଳେ କିଛି ସାମ୍ବାଦିକ ଗୁପ୍ତ କ୍ୟାମେରାରେ ରେକର୍ଡିଂ କରି ପ୍ରସାରଣ କରିଥିବା ପରିପ୍ରେକ୍ଷିରେ ମନ୍ମଥ ଏଭଳି ମନ୍ତବ୍ୟ ଦେଇଥିଲେ । ତେବେ ସାମ୍ବାଦିକଙ୍କୁ ନେପାଳୀ ମାଡ ଦେବାକୁ ଧମକ ଦେଇ ମନ୍ମଥ ରାଉତରାୟ ଖୋଲାଖୋଲି ଆଇନର ଉଲ୍ଲଂଘନ କରିଛନ୍ତି । ତେଣୁ ତାଙ୍କ ବିରୋଧରେ ରାଜ୍ୟ ସରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ସାମ୍ବାଦିକଙ୍କ ବିରୋଧରେ ଏଭଳି ଅଶାଳିନ ମନ୍ତବ୍ୟ ଦେଇ ମନ୍ମଥ ନିଜକୁ ଅପରିପକ୍ବ ଓ ଦାୟିତ୍ବହୀନ ନେତାର ପରିଚୟ ଦେଇଛନ୍ତି । ସବୁଠୁ ଦୁର୍ଭାଗ୍ୟର ବିଷୟ ହେଉଛି, ମନ୍ମଥଙ୍କ ଏଭଳି ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲେ ମଧ୍ୟ ଦଳର ଅନ୍ୟ କୌଣସି ନେତା ଏହାର ପ୍ରତିବାଦ ମଧ୍ୟ କରିନାହାଁନ୍ତି ।
ଆମସ୍ବର ଅନୁଷ୍ଠାନର ଆବାହକ ଶ୍ରୀ ପରିଜା କହିଛନ୍ତି, ମନ୍ମଥଙ୍କ ସାମ୍ବାଦିକ ବିରୋଧୀ ମନ୍ତବ୍ୟକୁ ତାଙ୍କ ଦଳ ପକ୍ଷରୁ ପ୍ରତିବାଦ କରା ନ ଯିବା ଅର୍ଥ ଦଳ ତାଙ୍କୁ ସମର୍ଥନ କରୁଛି । ଗତ ନିର୍ବାଚନରେ ଓଡିଶାର ଲୋକେ ତାଙ୍କୁ ଶାସ୍ତି ଦେବା ପରେ ବି ଦଳୀୟ ନେତାଙ୍କ ଚେତା ପଶୁନି । ଗଣତାନ୍ତ୍ରିକ ବ୍ୟବସ୍ଥାରେ କାହାକୁ ମାଡ ମାରିବା ପାଇଁ ଧମକ ଦେବାର ଅଧିକାର କାହାର ନାହିଁ । ଏହା ମନ୍ମଥଙ୍କ ବାଚାଳାମି ବୋଲି ଶ୍ରୀ ପରିଜା କହିଛନ୍ତି ।
ବରିଷ୍ଠ ସାମ୍ବାଦିକ ଅପୂର୍ବ କୁମାର ମହାନ୍ତି କହିଛନ୍ତି, ନିର୍ବାଚନରେ ହାରିବା ପର ଠାରୁ ମନ୍ମଥ ରାଉତରାୟଙ୍କ ମତିଭ୍ରମ ହୋଇଛି । ତେବେ ଏଭଳି ସଂଯମତାହୀନ ମନ୍ତବ୍ୟ ଜାରି ରଖିଲେ, ଯେତେବେଳେ ସାମ୍ବାଦିକମାନେ ତାତିବେ, ସେତେବେଳେ ତାଙ୍କ ଉପରେ ନେପାଳୀ ମାଡ ଠାରୁ ବି ଅଧିକ ମାଡ ପଡିବ ।
ଦେବସ୍ମିତା ମହାନ୍ତି କହିଛନ୍ତି, ଯେଉଁ ସାମ୍ବାଦିକଙ୍କ ପାଇଁ ସେ ପାଇଲଟରୁ ନେତା ହେଲେ, ସେମାନଙ୍କ ବିରୋଧରେ ଏଭଳି ଅଶୋଭନୀୟ ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ । ଏଥିପାଇଁ ସେ ପୁରା ଗଣମାଧ୍ୟମକୁ ଲଜ୍ଜିତ କରିଛନ୍ତି ।
ମଧୁଲିତା ପରିଡା ମନ୍ମଥଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରିବା ସହ ଏଥିରୁ ନିବୃତ୍ତ ରହିବାକୁ ଚେତାବନୀ ଦେଇଛନ୍ତି ।














