ଉତ୍କଳ ବିଶ୍ୱବିଦ୍ୟାଳୟକୁ ଅଣଛାତ୍ର ମୁକ୍ତ କରିବାକୁ ପ୍ରୟାସ କରିଛି ପ୍ରଶାସନ। ବର୍ଷ ବର୍ଷ ଧରି ପାଠ ପଢା ସରିବା ପରେ ବି ହଷ୍ଟେଲ ନ ଛାଡି ଜୋର ଜବରଦସ୍ତ ନିଜ ଅକ୍ତିଆରରେ ରଖିଥିବା ଅଣଛାତ୍ରଙ୍କୁ ଶେଷରେ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଆଜି ବିଦା କରାଯାଉଛି।ପାଖାପାଖି ୧୩୦ଟି ରୁମକୁ ନିଜ ଅକ୍ତିଆରରେ ରଖିଥିଲେ ଅଣଛାତ୍ର। ଏଥିପାଇଁ ଛାତ୍ରାବାସଗୁଡିକରେ ସୋମବାର କମିଶନରେଟ ପୋଲିସ ପକ୍ଷରୁ ବଡ଼ ଧରଣର ଚଢାଉ କରାଯାଇଥିଲା। ଏହି ଅଭିଯାନରେ ଭିସି, ଅଧ୍ୟାପକ, ଅଧ୍ୟାପିକା ମଧ୍ୟ ସାମିଲ୍ ହୋଇଥିଲେ। ବିଶ୍ଵବିଦ୍ୟାଳୟର ଛାତ୍ରାବାସ ୧, ୨, ୩ ଓ ୫ରୁ ଅଣଛାତ୍ରଙ୍କୁ ବିଦା କରାଯିବ । ଏଥିପାଇଁ ଉତ୍କଳ ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ୭ ଜଣ ଥାନା ଅଧିକାରୀ, ୧୦ରୁ ଅଧିକ ଏସିପି, ମହିଳା ପୋଲିସ ମଧ୍ୟ ମୁତୟନ ହୋଇଛନ୍ତି। ଶାନ୍ତି ଶୃଙ୍ଖଳାର ସହ ଅଣଛାତ୍ରଙ୍କୁ ତଡ଼ିବାକୁ ପଦକ୍ଷେପ ନେଇଛି ପ୍ରଶାସନ। ଅଣଛାତ୍ରଙ୍କୁ ତଡ଼ିବା ଲାଗି ପ୍ରତି ହଷ୍ଟେଲରେ ୩ ଜଣ ପୋଲିସ ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇଥିବା ବେଳେ ଇନ୍ ଚାର୍ଜ ଅଫିସର ଅଛନ୍ତି ଜଣେ ଏସିପି । ଅଣଛାତ୍ରଙ୍କୁ ହଷ୍ଟେଲରୁ ବିଦା କରିବା ବେଳେ ବିଶ୍ଵବିଦ୍ୟାଳୟ ଫାଟକରେ ସୁରକ୍ଷା ବ୍ୟବସ୍ଥାକୁ ପୋଲିସ କଡ଼ାକଡ଼ି କରିଛି ।













