ଆସନ୍ତା ବର୍ଷ ସୁଦ୍ଧା ଦେଶରେ ଥିବା ଅଧା ଏଟିଏମ ବନ୍ଦ ହୋଇଯାଇପାରେ । ଏଟିଏମର ଦେଖାଶୁଣା କରୁଥିବା ସଂସ୍ଥାଗୁଡିକ ଏହା କହିଛନ୍ତି । ଏଟିଏମ ପରିଚାଳନା କରିବା ବ୍ୟୟବହୁଳ ବ୍ୟାପାର ହୋଇଗଲାଣି । ସପ୍ଟଓୟାର ଓ ହାର୍ଡଓୟାର ଅପଡେଟ କରିବା, ନଗଦ ପରିଚାଳନାକୁ ନେଇ ଧାର୍ଯ୍ୟ କରାଯାଇଥିବା ନୂଆ ମାନଦଣ୍ଡ ଅନୁସାରେ କାମ କରିବା ଓ କ୍ୟାସେଟ ସ୍ୱାପିଂ ଭଳି ନିୟମ ଯୋଗୁ ଏହି ସଂସ୍ଥା ଗୁଡିକର ଖର୍ଚ୍ଚ ବହୁତ ବଢିଯାଇଛି । କେବଳ କ୍ୟାସେଟ ସ୍ୱାପିଂ ଯୋଗୁ ସେମାନଙ୍କ ଖର୍ଚ୍ଚ ୩୦୦୦ କୋଟି ଟଙ୍କା ବଢିଯାଇଛି । ଏଭଳି ଖର୍ଚ୍ଚରେ ଏଟିଏମ ଗୁଡିକୁ ଦୀର୍ଘ ଦିନ ଚାଲୁ ରଖିବା ସମ୍ଭବପର ନୁହେଁ ବୋଲି ଏଟିଏମ ଶିଳ୍ପର ମହାସଂଘ ‘ସିଏଟିଏମଆଇ’ ପକ୍ଷରୁ କୁହାଯାଇଛି ।
ଦେଶରେ ୨.୩୮ ଲକ୍ଷ ଏଟିଏମ ରହିଛି । ସେଥିରୁ ୧.୧୩ ଲକ୍ଷ ବନ୍ଦ କରିବାକୁ ଆମେ ବାଧ୍ୟ ହେବୁ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି ।
ମହାସଂଘ ପକ୍ଷରୁ କୁହାଯାଇଛି ଯେ, ବିମୁଦ୍ରୀକରଣ ଯୋଗୁଁ ଯେଉଁ ଝଟକା ଲାଗିଥିଲା ତାହା ଏପର୍ଯ୍ୟନ୍ତ ଦୂର ହୋଇନଥିବାବେଳେ ନୂଆ ନିୟମ ନାମରେ ଅଧିକ ବୋଝ ଲଦି ଦିଆଯାଉଛି । ସେହି ସବୁ ନିୟମ ପାଳନ କରିବା ପାଇଁ ବିପୁଳ ପରିମାଣର ଖର୍ଚ୍ଚ କରିବାକୁ ପଡୁଛି । ଏଟିଏମର ଦେଖାଶୁଣା କରୁଥିବା ସଂସ୍ଥାଗୁଡିକ ପାଖରେ ଏତେ ଟଙ୍କା ଯୋଗାଡ କରିବାର କୌଣସି ମାଧ୍ୟମ ନାହିଁ । ତେଣୁ ଅନ୍ୟ କୌଣସି ଉପାୟ ନପାଇ ସେମାନେ ଏଟିଏମ ଗୁଡିକୁ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି । ଏହି ଅତିରିକ୍ତ ଖର୍ଚ୍ଚର କିଛି ଭାଗ ଯଦି ବ୍ୟାଙ୍କଗୁଡିକ ଭରଣା କରିବାକୁ ରାଜି ହେବେ ତେବେ ସ୍ଥିତି ବଦଳି ପାରିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here