ପାର୍କିଂ ଫି ଆଦାୟ ନକରିବା ନେଇ ଜାରି ହୋଇଥିବା ନିର୍ଦେଶକୁ ନମାନିବା ନେଇ ରାଜଧାନୀରେ ଏସପ୍ଲାନେଡ୍ ସମେତ ୧୦ଟି ସପିଂ ମଲ ସହିତ ତିନିଟି ହସ୍ପିଟାଲକୁ ନୋଟିସ୍ ଜାରି କରାଯାଇଛି | ଏନେଇ ସୂଚନା ଦେଇଛନ୍ତି ବିଡିଏ ଯୋଜନା ସଦସ୍ୟ ଗୌରୀଶଙ୍କର ଭୂୟାଁ | ବିଡିଏ ପକ୍ଷରୁ ସିମ୍ଫୋନି ମଲ, ଦ ଓ୍ଵାଲର୍ଡ, ଫୋରମ୍ ମାର୍ଟ, ମାରୁତି ମଲ, ପାଲ ମନ୍ତ୍ରା, ପାଣ୍ଟାଲୁନ୍ ସହିଦ ନଗର, ଭବାନି କମର୍ସିଆଲ୍ ଏନ୍କ୍ଲେଭ, ଏସ୍ପ୍ଲାନେଡ୍ ଓ୍ଵାନ୍, ଡିଏନ୍ ରିଗାଲିଆ ସମେତ ଆପୋଲୋ ହସ୍ପିଟାଲ, କଳିଙ୍ଗ ହସ୍ପିଟାଲ ଓ କେୟାର ହସ୍ପିଟାଲ ଆଦିକୁ ପାର୍କିଂ ଶୁଳ୍ପ ଆଦାୟ ରୋକିବା ଓ ୭ଦିନ ଭିତରେ ଅନୁପାଳନ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି | ଏଥିରେ ବିଫଳ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି |
ସୂଚାନଯୋଗ୍ୟ, ରାଜଧାନୀରେ ଥିବା ସପିଂ ମଲ ସହିତ କୌଣସି ବି ବ୍ୟାବସାୟିକ ପ୍ରତିଷ୍ଠାନ, ମଲ୍ଟିପ୍ଲେକ୍ସସ୍, ହସ୍ପିଟାଲ, ଆପାର୍ଟମେଣ୍ଟ ଓ ଆବାସିକ ବାସଗୃହ ପ୍ରକଳ୍ପଗୁଡ଼ିକ ସେମାନଙ୍କ ପରିସୀମା ମଧ୍ୟରେ ପାର୍କିଂ ଫି’ ନେଇପାରିବେ ନାହିଁ ବୋଲି ଗାଇଡ଼ ଲାଇନ ଜାରି କରାଯାଇଥିଲା | ତେବେ ଯଦି କେହି ଏଭଳି କରନ୍ତି ତେବେ ତାହାକୁ ବେଆଇନ ବୋଲି ଧରାଯିବା ସହ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ(ବିଡିଏ) ପକ୍ଷରୁ କଡ଼ା ନିର୍ଦେଶ ଜାରି କରାଯାଇଥିଲା | ତେବେ ଏହି ନିଦେଶ ଜାରି ହେବା ପରେ ମଧ୍ୟ ପାର୍କିଂ ଫି ଆଦାୟ କରାଯିବା ନେଇ ଏସପ୍ଲାନେଡ୍ ସମେତ ୧୦ଟି ସପିଂ ମଲ ସହିତ ତିନିଟି ହସ୍ପିଟାଲକୁ ନୋଟିସ୍ ଜାରି କରାଯାଇଛି |