ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଚିଲିକା ଉପରେ ହେଲିକପ୍ଟର ଉଡ଼ାଇବା ଘଟଣା ନୂଆ ନୂଆ ମୋଡ଼ ନେଉଛି । ୪୨ ଦିନ ପରେ ପୁରୀ ପୋଲିସ ଭୁବନେଶ୍ୱର ବିମାନବନ୍ଦରରେ ସିଲ୍ କରିଥିବା ହ୍ୟାଙ୍ଗର ଖୋଲିଛି । ପୁରୀ ମେରାଇନ ଥାନା ଆଇଆଇସି ଏବଂ ଜଣେ ଏସଡିପିଓ ହ୍ୟାଙ୍ଗର ଖୋଲିଥିଲେ ମଧ୍ୟ ଗୋଟିଏ ହେଲିକପ୍ଟର ସିଜ୍ କରିଛନ୍ତି ଏବଂ ଦୁଇଟି ହେଲିକପ୍ଟରକୁ ଛାଡ଼ିଛନ୍ତି । କିନ୍ତୁ ହ୍ୟାଙ୍ଗରରେ ରହିଥିଲା ତିନୋଟି ହେଲିକପ୍ଟର । ସିଲ୍ ହୋଇଥିବା ହେଲିକପ୍ଟରଟି ଚିଲିକା ଉପରେ ଉଡ଼ାଣ କରିଥିଲା । ତେବେ ହେଲିକପ୍ଟରଟି ଚିଲିକାର କେତେ ଉଚ୍ଚରେ ଉଡ଼ିଥିଲା ସେନେଇ ଡିଜିସିଏ କୌଣସି ତଥ୍ୟ ଦେଇ ନଥିବାରୁ ହେଲିକପ୍ଟରକୁ ଛାଡ଼ିନି ପୁରୀ ପୋଲିସ । ହେଲିକପ୍ଟରଟି କେତେ ଉଚ୍ଚରେ ଉଡ଼ୁଥିଲା ସେନେଇ ଡିଜିସିଏକୁ ରିପୋର୍ଟ ମାଗିଛି ପୋଲିସ। ଗତ ସେପ୍ଟେମ୍ବର ୧୫ ତାରିଖରେ ଚିଲିକାର ନୋ ଫ୍ଲାଇଙ୍ଗ ଜୋନରେ ଲୋ ଫ୍ଲାଇଙ୍ଗ କରିବା ଅଭିଯୋଗରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ପୁରୀ ମେରାଇନ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଗ୍ରହଣ କରି ପୁରୀ ପୋଲିସ ସେପ୍ଟେମ୍ବର ୧୭ରେ ଭୁବନେଶ୍ୱର ବିମାନ ବନ୍ଦରରେ ଥିବା ଇମ୍ଫା ହ୍ୟାଙ୍ଗରକୁ ସିଲ୍ କରିଥିଲା । ଗୋଟିଏ ହେଲିକପ୍ଟର ନାଁରେ ଅଭିଯୋଗ ରହିଥିବା ବେଳେ ପୋଲିସ ତିନୋଟି ହେଲିକପ୍ଟର ସିଜ୍ କରିଥିଲା । ଏହାକୁ ନେଇ ବୈଜୟନ୍ତ ରାଜ୍ୟ ସରକାରଙ୍କ ଅଫିସରଙ୍କୁ ଟାର୍ଗେଟ କରିଥିଲେ। ବିବାଦ ବଢ଼ିବାରୁ ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ ଡିଜିସିଏଙ୍କୁ ତଦନ୍ତ କରିବା ଲାଗି ଚିଠି ଲେଖିଥିଲେ।













