ଗୁରୁତର ଭାବରେ ଆହତ ହୋଇ ଆଇସିୟୁରେ ଭର୍ତ୍ତି ହେଲେ ଭାରତୀୟ କ୍ରିକେଟର ଶ୍ରେୟସ। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍ରେ କ୍ୟାଚ୍ ନେବା ସମୟରେ ଶ୍ରେୟସ ଆୟରଙ୍କ ପଞ୍ଜରାରେ ଆଘାତ ଲାଗିଥିଲା । ଏହି ଘଟଣା ପରେ ଏବେ ଉପ-ଅଧିନାୟକ ଗୁରୁତର ଆଘାତ ପାଇ ସିଡନୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଏବେ ICUରେ ରଖାଯାଇଛି। ସୂଚନା ମିଳିଛି ଯେ, ଘଟଣା ଘଟିବା ପରେ ପଞ୍ଜରା ହାଡ଼ ଭିତରେ ରକ୍ତସ୍ରାବ ହେବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।୭ଦିନ ପର୍ଯ୍ୟନ୍ତ ଡାକ୍ତରଙ୍କ ପର୍ଯ୍ୟବେକ୍ଷଣରେ ରହିବେ ଶ୍ରେୟସ। ଶ୍ରେୟସଙ୍କ ସୁସ୍ଥତା ଉପରେ ନିର୍ଭର କରି ତାଙ୍କୁ ୨ରୁ ୭ଦିନ ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣରେ ରଖାଯିବ କାରଣ ,ରକ୍ତସ୍ରାବରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି।ସିଡନୀ ODI ସମୟରେ ଶ୍ରେୟସ ଆୟର ଏକ ଚମତ୍କାର କ୍ୟାଚ୍ ନେଇଥିଲେ ,କ୍ୟାଚ୍ ସମୟରେ ଶ୍ରେୟସ ତାଙ୍କର ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କ ବାମ ପଞ୍ଜରାରେ ଆଘାତ ଲାଗିଥିଲା। ଫିଲ୍ଡିଂ ପରେ ଯେତେବେଳେ ଶ୍ରେୟସ୍ ଡ୍ରେସିଂ ରୁମକୁ ଫେରିଥିଲେ, ସେତେବେଳେ ତାଙ୍କ ଯନ୍ତ୍ରଣା ବଢ଼ିଥିଲା ଏବଂ ନିଶ୍ୱାସ ନେବାରେ କଷ୍ଟ ହୋଇଥିଲା। ଏହା ଦେଖି ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ପରୀକ୍ଷା ପରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଥିବା ଜଣାପଡ଼ିବାରୁ ତାଙ୍କୁ ତୁରନ୍ତ ICUରେ ଭର୍ତ୍ତି କରାଯାଇଥିଲା ।














