ଜୁନ ୩୦ ତାରିଖରେ ଖେଳାଯିବ ଚଳିତ ବିଶ୍ୱକପର ହାଇଭୋଲ୍ଟେଜ ମ୍ୟାଚ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ବିଶ୍ୱକପ ଟ୍ରଫି ପାଇଁ ଦାବିଦାର ଦୁଇ ଶକ୍ତିଶାଳୀ ଦଳ ଭାରତ ଏବଂ ଆୟୋଜକ ଇଂଲଣ୍ଡ । ତେବେ ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆର ଖେଳାଳିମାନେ ନୀଳ ରଙ୍ଗର ଜର୍ସି ବଦଳରେ ପିନ୍ଧିବେ କମଳା ରଙ୍ଗର ଜର୍ସି । ଏହି ଜର୍ସିକୁ ନେଇ ଭାରତରେ ରାଜନୈତିକ ବିବାଦ ମୁଣ୍ଡ ଟେକିଛି । ଟିମ୍ ଇଣ୍ଡିଆର ଜର୍ସିକୁ ନେଇ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ବିରୋଧ କରିଛନ୍ତି । ସମାଜବାଦି ପାର୍ଟି ନେତା ଆବୁ ଆଜମୀ ଏହାକୁ ବିରୋଧ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ରର ବିଜେପି ସରକାର ଦ୍ୱାରା ଭାରତୀୟ କ୍ରିକେଟ ଦଳର ଜର୍ସିର ରଙ୍ଗ ପରିବର୍ତନ କରାଯାଇଛି । ଏବଂ ଭାରତର ପ୍ରତ୍ୟେକ ଜିନିଷର ରଙ୍ଗ କମଳା ରଙ୍ଗ କରିବାକୁ ବିଜେପି ଚାହୁଁଛି ବୋଲି ଆବୁ ଆଜମୀ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଚଳିତ ବିଶ୍ୱକପରେ ପ୍ରତ୍ୟେକ ଟିମ୍ କୁ ଦୁଇଟି ଲେଖାଏଁ ଜର୍ସି ଚୟନ କରିବାକୁ ଆଇସିସି ପରାମର୍ଶ ଦେଇଥିଲା । କିନ୍ତୁ ଆୟୋଜକ ଦଳ ଗୋଟିଏ ଜର୍ସିରେ ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟରେ ନଜର ଆସିବେ ବୋଲି କହିଥିଲେ । ଚଳିତ ବିଶ୍ୱକପରେ ଆୟୋଜକ ଇଂଲଣ୍ଡ ନୀଳ ରଙ୍ଗର ଜର୍ସି ପରିଧାନ କରୁଥିବାରୁ ଆସନ୍ତା ୩୦ ତାରିଖରେ ଭାରତୀୟ ଖେଳାଳି ଇଂଲଣ୍ଡ ବିପକ୍ଷ ମ୍ୟାଚରେ କମଳା ରଙ୍ଗର ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇବେ ।

LEAVE A REPLY

Please enter your comment!
Please enter your name here