ଗଞ୍ଜାମ : ବିଜେଡିରେ ପୁଣି କମ୍ପନ । କବିସୂର୍ଯ୍ୟନଗରର ପୂର୍ବତନ ବିଜେଡି ବିଧାୟିକା ଲତିକା ପ୍ରଧାନ ଦଳୀୟ ପକ୍ଷପାତିତାକୁ ନେଇ ଅସନ୍ତୋଷ ଝାଡିଛନ୍ତି । ବିଜେଡିରେ ପକ୍ଷପାତ କରାଯାଉଛି । ଗଞ୍ଜାମ ଜିଲ୍ଲାରେ ଜଣେ ଦୁଇଜଣ ନେତାଙ୍କୁ ଦଳ ଭିତରେ ଗୁରୁତ୍ବ ଦିଆଯାଉଛି । ଯାହାର ପରିଣାମ ହେଉଛି, ଗଞ୍ଜାମ ଜିଲ୍ଲାରେ ବିଜେଡି ସଂଗଠନ ଦୁର୍ବଳ ହେବାରେ ଲାଗିଛି । ନିର୍ବାଚନ ହାରିବାଠୁ ଆରମ୍ଭ କରି ହାରିବା ପର ପର୍ଯ୍ୟନ୍ତ ଦଳ ଠିକଣା ଭାବେ କାମ କରୁନି । ଯେଉଁ ନେତାଙ୍କୁ ଦାୟିତ୍ବ ଦିଆଯାଇଛି, ସେ ମଧ୍ୟ ଠିକ୍ ଭାବେ କାମ କରୁନାହାଁନ୍ତି ବୋଲି କହିବା ସହ ମାନସ ମଙ୍ଗରାଜଙ୍କ ପ୍ରତି ଆକ୍ଷେପ କରିଛନ୍ତି । ନିର୍ବାଚନ ହାରିବା ପରେ ମଧ୍ୟ ଦଳ ଯେଉଁଭଳି ଭାବେ କାମ କରିବା କଥା କରୁନାହିଁ ବୋଲି ସେ ଆରୋପ ଲଗାଇଛନ୍ତି । ଦଳର ସଭାପତି ଗଞ୍ଜାମ ଜିଲ୍ଲା ହିଂଜିଳିରୁ ବିଧାୟକ ହୋଇଥିଲେ ବି ତାଙ୍କ ଜିଲ୍ଲାରେ ସଂଗଠନକୁ ସୁଦୃଢ କରିବା ପାଇଁ ସେ ସମୟ ଦେଉନାହାଁନ୍ତି । ଦଳୀୟ ସଭାପତିଙ୍କୁ ଭେଟିବା ପାଇଁ ସୁଯୋଗ ପାଉ ନ ଥିବା ଲତିକା ପ୍ରଧାନ ଗଣମାଧ୍ୟମ ଆଗରେ ଦଳ ଭିତରେ ଚାଲିଥିବା ପକ୍ଷପାତିତାକୁ ନେଇ ଖୁବ୍ ବର୍ଷିଛନ୍ତି ।














