ଆଜି ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ସାରା ଦେଶ ‘ଏକତା ଦିବସ’ ପାଳନ କରୁଛି। ଏହି ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ସକାଳ ୭ଟାରେ ‘ଏକତା ଦୌଡ଼’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ସର୍ଦ୍ଦାର ପଟେଲଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରନ୍‌ ଫର୍‌ ୟୁନିଟି ଦୌଡ଼ କାର୍ଯ୍ୟକ୍ରମକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଗଣଦୌଡ଼ରେ ସାମିଲ ହୋଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଭିନ୍ନତାରେ ଏକତା ହେଉଛି ଭାରତର ପ୍ରାଣ ଓ ଶକ୍ତି। ଜାତି, ଧର୍ମ, ଭାଷା ନିର୍ବିଶେଷେ ଆମେ ସମସ୍ତେ ଭାରତୀୟ, ଏହି ଭାବନା ଦେଶକୁ ଏକତାରେ ବାନ୍ଧି ରଖେ। ସର୍ଦ୍ଦାର ପଟେଲ ଏହି ଏକତାର ସୁପତି ଥିଲେ । ତାଙ୍କ ଦୃଢ଼ ସଙ୍କଳ୍ପ ଓ ଦୃଷ୍ଟିଭଙ୍ଗି ଦ୍ବାରା ଆମେ ଆଜି ଏକତାବଦ୍ଧ ଭାରତକୁ ଦେଖୁଛୁ,” ବୋଲି ସେ କହିଛନ୍ତି। ସର୍ଦ୍ଦାର ପଟେଲଙ୍କ ଅବଦାନକୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ଯେ ଆମେ ସମସ୍ତେ ମିଳିମିଶି, ସଂଘବଦ୍ଧ ଭାବେ କାମ କଲେ ଖୁବ ଶୀଘ୍ର ବିକଶିତ ଭାରତର ସ୍ଵପ୍ନକୁ ସାକାର କରିପାରିବା। ଏହି ଦୌଡ଼ ହେଉଛି ସେହି ଏକତା, ସମନ୍ୱୟ ଓ ଦେଶପ୍ରେମର ପ୍ରତୀକ। ୨୦୧୪ ମସିହାରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ “ରନ୍ ଫର ୟୁନିଟି” କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ସେ ଆହୁରି କହିଥିଲେ, “ଏହି ଦୌଡ଼ ଆମକୁ ସ୍ମରଣ କରାଉଛି ଯେ ଏକତା ହେଉଛି ଆମ ସମସ୍ତଙ୍କ ସାଧାରଣ ଇଚ୍ଛା ଓ ଶକ୍ତି। ସର୍ଦ୍ଦାର ପଟେଲଙ୍କ ଜୀବନ ଆମକୁ ପ୍ରେରିତ କରେ ଯେ ଆମେ ଭାଇଚାରା, ଶାନ୍ତି ଓ ସମୃଦ୍ଧିକୁ ଆଧାର କରି ଏକତାରେ ଆଗୁଆ ବଢ଼ିବା ଉଚିତ। ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଢିବାରେ ଏହି ଏକତା ହେଉଛି ମୂଳ ଶକ୍ତି।”

LEAVE A REPLY

Please enter your comment!
Please enter your name here