ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଦିନକୁ ଦିନ ତାର ନେଟୱାର୍କ ବିସ୍ତାର କରି, ମହିଳା ସଂଗଠନକୁ ସୁଦୃଢ଼ କରୁଛି । ଅନଲାଇନ ମାଧ୍ୟମରେ ଦିଆଯାଉଛି ତାଲିମ । ସୁରକ୍ଷା ଏଜେନ୍ସିମାନେ ସନ୍ଦେହ ପ୍ରକାଶ କରିଛନ୍ତି ଯେ ଜେଏଏମ୍ ମହିଳା ଶାଖା ଜମାତ-ଉଲ-ମୋମିନାତରେ ୫,୦୦୦ରୁ ଅଧିକ ମହିଳାଙ୍କୁ ନିଯୁକ୍ତି ଦେଇଛି ଏବଂ ଏହି ମହିଳାଙ୍କୁ ଆତଙ୍କବାଦୀ କରିବା ପାଇଁ ମଧ୍ୟ କାମ କରୁଛି। ସୋସିଆଲ ମିଡିଆ ପୋଷ୍ଟରେ ଜୈଶର ମୁଖ୍ୟ ମାସୁଦ ଆଝାର ଏହାକୁ ସ୍ୱୀକାର କରିଛି । ଆଝାର କହିଛି ଯେ “ସଂଗଠନର ମହିଳା ଶାଖାରେ ଯୋଗ ଦେଉଥିବା ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଉଛି ଏବଂ ଜିଲ୍ଲା ୟୁନିଟ୍ ସ୍ଥାପନ କରିବାର ଆବଶ୍ୟକତା ରହିଛି । ଏହା ଆଲ୍ଲାଙ୍କ କୃପା ଯେ କିଛି ସପ୍ତାହ ମଧ୍ୟରେ ୫,୦୦୦ରୁ ଅଧିକ ମହିଳା ସଂଗଠନରେ ଯୋଗ ଦେଇଛନ୍ତି । ଅନେକ ମହିଳା କହିଛନ୍ତି ଯେ ସେମାନେ ଯୋଗ ଦେବା ମାତ୍ରେ ସେମାନଙ୍କର ମାନସିକ ଅବସ୍ଥା ପରିବର୍ତ୍ତନ ହୋଇଛି ଏବଂ ସେମାନେ ଜୀବନର ଉଦ୍ଦେଶ୍ୟ ବୁଝିପାରିଛନ୍ତି। ଆତଙ୍କବାଦୀ ଆଝାର ଅକ୍ଟୋବରରେ ଜୈଶ ମୁଖ୍ୟାଳୟରେ ଜମାତ-ଉଲ-ମୋମିନାତ ପ୍ରତିଷ୍ଠା କରିଥିଲେ। ସେବେଠୁ ସଂଗଠନରେ ମହିଳାମାନଙ୍କୁ ନିଯୁକ୍ତି ଦିଆଯାଇଛି। ମାସୁଦ ଆଝାରର ଭଉଣୀ ସାଦିଆ ଆଝାର ଜମାତ-ଉଲ-ମୋମିନାତର ମୁଖ୍ୟଭାବେ ପରିଚାଳନା କରୁଅଛି । ସେ ଆତଙ୍କବାଦୀ ୟୁସୁଫ ଆଝାରଙ୍କ ପତ୍ନୀ ଅଟେ । ସଂଗଠନର ଯୋଜନା ହେଉଛି ମହିଳାମାନଙ୍କୁ ମୌଳବାଦୀ କରିବା ଏବଂ ଆଇଏସଆଇଏସ ହମାସ ଏବଂ ଏଲଟିଟିଇ ଭଳି ଆତ୍ମଘାତୀ ଆକ୍ରମଣ ପାଇଁ ଆତଙ୍କବାଦୀ ବ୍ରିଗେଡକୁ ପ୍ରସ୍ତୁତ କରିବା। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନଯାୟୀ ମହିଳାମାନଙ୍କୁ ଜମାତ-ଉଲ-ମୋମିନାତରେ ନିଯୁକ୍ତି ଦିଆଯାଉଛି ଏବଂ ଅନଲାଇନରେ ତାଲିମ ଦିଆଯାଉଛି। ଏହି ଅନଲାଇନ୍ କ୍ଲାସଗୁଡ଼ିକ ୪୦ ମିନିଟ୍ ଚାଲୁଛି ଏବଂ ପ୍ରତ୍ୟେକ ଅଂଶଗ୍ରହଣକାରୀ ମାତ୍ର ୫୦୦ ଟଙ୍କା ଦେଇ କ୍ଲାସ କରିପାରିବେ ।














