ଜମ୍ମୁ କାଶ୍ମୀର ଏବଂ ହରିୟାଣା ପୋଲିସ ଫରିଦାବାଦର ଏକ ଘରୁ 360 କିଲୋଗ୍ରାମର ଜ୍ବଳନ ସାମଗ୍ରୀ ଜବତ କରିଛି । ଏହା ଆମୋନିୟମ ନାଇଟ୍ରେଟ ହୋଇଥିବା ସନ୍ଦେହ କରାଯାଉଛି । ଏକ ଆସଲ୍ଟ ରାଇଫଲ, ପିସ୍ତଲ ଓ ଗୁଳି ମଧ୍ୟ ଜବତ କରାଯାଇଛି । ପୂର୍ବରୁ ଗିରଫ ହୋଇଥିବା କାଶ୍ମୀର ଡାକ୍ତର ଆଦିଲ ଅହମ୍ମଦ ରାଥରଙ୍କୁ ପଚରାଉଚରା ସମୟରେ ତାଙ୍କ ସୂଚନା ଆଧାରରେ ପୋଲିସ ଚଢଉ କରି ଏସବୁ ଜବତ କରିଛି ।ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଫରିଦାବାଦ ପୋଲିସ କମିଶନର ସତେନ୍ଦ୍ର କୁମାର କହିଛନ୍ତି କିଛିଦିନ ପୂର୍ବେ ଆତଙ୍କବିରୋଧୀ ଅଭିଯାନରେ ଆଉ ଜଣେ ଅଭିଯୁକ୍ତ ଡାକ୍ତର ମୁଜାମିଲଙ୍କୁ ଗିରଫ କରାଯାଇଥିଲା, ଯିଏକି ଧୌଜ ଅଞ୍ଚଳର ଅଲ ଫଲାହ ବିଶ୍ବବିଦ୍ୟାଳୟରେ ପଢାନ୍ତି । ପରେ ରବିବାର ଦିନ ଫରିଦାବାଦର ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା ।ଫରିଦାବାଦର ଆଉ ଏକ ଘରୁ ୧୪ଟି ଅଲଗା ବ୍ୟାଗରୁ ଜ୍ବଳନ ସାମଗ୍ରୀ ଜବତ କରାଯାଇଥିଲା । ଯେଉଁ ସ୍ଥାନରୁ ଏହି ସବୁ ଜବତ ହୋଇଛି ସେହି ଘରକୁ ଡାକ୍ତର ମୁଜାମିଲ ଭଡାରେ ନେଇଥିବା ଅଭିଯୋଗ ହୋଇଛି । କାଶ୍ମୀରରେ ଆତଙ୍କୀ ସଂଗଠନ ଜୈସ ଇ ମହମ୍ମଦକୁ ସମର୍ଥନ କରିଥିବା ପୋଷ୍ଟର ଲଗାଇବା ଅଭିଯୋଗରେ ଜମ୍ମୁକାଶ୍ମୀର ପୋଲିସ ଉତ୍ତରପ୍ରଦେଶର ସହାରନପୁରରୁ ଡାକ୍ତର ଆଦିଲ ରାଥରଙ୍କୁ ଗରିଫ କରିଥିଲା ।ରବିବାର ଦିନ ଗୁଜରାଟର ଅହମ୍ମଦାବାଦରୁ ୩ ଆତଙ୍କୀଙ୍କୁ ଗୁଜରାଟରେ ଗିରଫ କରହିଥିଲା । ଗତ କିଛିଦିନ ହେଲା ସେମାନଙ୍କ ଉପରେ ନଜର ରଖିଥିଲା ଆତଙ୍କ ନିରୋଧୀ ସ୍କ୍ବାଡ । ତିନି ଜଣ ଆଇଏସଆଇଏସ ଆତଙ୍କୀ ସଂଗଠନ ପାଇଁ କାମ କରୁଥିବା ତଦନ୍ତରୁ ଜଣାପଡିଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଉତ୍ତରପ୍ରଦେଶର ଓ ଜଣେ ହାଇଦ୍ରାବାଦର ଅଟନ୍ତି।













