ଲଗାଣ ବର୍ଷା ଯୋଗୁଁ ଦେଶରେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି ।  ଅରୁଣାଞ୍ଚଳ ପ୍ରଦେଶରେ ଲଗାତାର ବର୍ଷା ଫଳରେ ବ୍ରହ୍ମପୁତ୍ର ଏବଂ ଏହାର ସହଯୋଗୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ଆସାମରେ ୬ଟି ଜିଲ୍ଲାରେ ଭୟାନକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପାଖାପାଖି ଏକ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ବ୍ରହ୍ମପୁତ୍ର ନଦୀରେ ପ୍ରବଳ ମାତ୍ରାରେ ପାଣି ଆସିବାରୁ ଅନେକ ତଳିଆ ଅଞ୍ଚଳରେ ଲୋକମାନଙ୍କ ଘର ଭିତରେ ପାଣି ପଶିଯାଇଛି ।  ଆସାମର ବିପର୍ଯ୍ୟୟ ପରିଚାଳନା ବିଭାଗ ଏକ ରିପୋର୍ଟରେ କହିଛି କି, ରାଜ୍ୟର ଧେମାଜୀ, ଲକ୍ଷ୍ମୀପୁର, ବିଶ୍ୱନାଥ, ବାରପେଟା, ମାଜୁଲୀ ଏବଂ ଦିବ୍ରୁଗଡ ଜିଲ୍ଲାରେ ବନ୍ୟାର ଭୟାନକ ରୂପ ଦେଖିବାକୁ ମିଳିଛି । ସେମାନଙ୍କୁ ସଠିକ ଭାବରେ ଉଚ୍ଚସ୍ଥାନକୁ ନିଆଯିବା ସହ ସରକାରଙ୍କ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ସ୍ଥାନୀୟ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଗତବର୍ଷ ମଧ୍ୟ ଆସାମରେ ବନ୍ୟା ହୋଇ ଅନେକ କ୍ଷତି ହୋଇଥିଲା । ଆସାମ ସରକାର କହିଛନ୍ତି ଯେ, ବର୍ତ୍ତମାନ ସମୟରେ କୈାଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

LEAVE A REPLY

Please enter your comment!
Please enter your name here