ବନ ଅଧିକାରୀ ନିହାରରଞ୍ଜନ ଶତପଥୀଙ୍କୁ ଧରିଛି ଭିଜିଲାନ୍ସ। ଆୟ ବହିର୍ଭୁତ ସମ୍ପତ୍ତି ଠୂଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗିରଫ ପରେ ଆଜି ତାଙ୍କୁ ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ କୋର୍ଟରେ ହାଜର କରାଯାଇଛି। ସୂଚନା ଅନୁଯାୟୀ, ଭିଜିଲାନ୍ସ ଚଢ଼ାଉ ସମୟରେ ଶ୍ରୀ ଶତପଥୀଙ୍କ ନାଁରେ ଭୁବନେଶ୍ୱରରେ ୨ଟି କୋଠା ଓ କୋରାପୁଟରେ ଗୋଟିଏ କୋଠା, ୭ଟି ପ୍ଲଟ୍, ୧ କେଜି ସୁନା, ୬୬.୪୨ ଲକ୍ଷ ଟଙ୍କା ବ୍ୟାଙ୍କ ଜମା, ୯.୨୮ ଲକ୍ଷ ଟଙ୍କା ନଗଦ ଟଙ୍କା, ଗୋଟିଏ ଚାରିଚକିଆ ଗାଡ଼ି ଇତ୍ୟାଦି ଜବତ କରାଯାଇଛି। ଶୁକ୍ରବାର ଦିନ ଭୁବନେଶ୍ୱର ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ଫରେଷ୍ଟର ଶ୍ରୀ ଶତପଥୀଙ୍କ ଭୁବନେଶ୍ୱର ଓ ସେମିଳିଗୁଡ଼ା ବାସଭବନ ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲେ। ସେ ବିଦେଶୀ ବିଦେଶୀ ମୁଦ୍ରା ମଧ୍ୟ ଲକରରେ ରଖିଛନ୍ତି। ସେ ୟୁଏସ୍, ଇଣ୍ଡୋନେସିଆ, ଥାଇଲାଣ୍ଡ, ହଂକଂ, ଭିଏତନାମ୍, ମାଲେସିଆର ମୁଦ୍ରା ଲକରରେ ରଖିଛନ୍ତି। ବିଟକଏନ୍ରେ ମଧ୍ୟ ୧.୬୬ ଲକ୍ଷ ଟଙ୍କା ବିନିଯୋଗ କରିଛନ୍ତି । ସମ୍ପତ୍ତିର ସଠିକ୍ ହିସାବ ଦେଇପାରିନଥିବାରୁ ନିରଞ୍ଜନଙ୍କ ବିରୋଧରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରାଯାଇଛି। ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରେ ୮୧୦୦ ବର୍ଗ ଫୁଟ୍ର ୨ଟି କୋଠାରେ ତନାଘନା କରିଥିଲା ୨ଟି ଟିମ୍। ସେ ୭ଟି ବହୁମୂଲ୍ୟ ପ୍ଲଟ୍ କିଣିଛନ୍ତି। ସେଥିରୁ ଭୁବନେଶ୍ୱରରେ ୨ଟି, ଜଗତସିଂପୁରରେ ୪ଟି ଓ ସେମିଳିଗୁଡ଼ାରେ ଗୋଟିଏ ଜମି ଅଛି। ସୂଚନା ଅନୁଯାୟୀ, ଶତପଥୀ ୧୯୮୮ ମସିହା ଜାନୁଆରୀରେ ମାତ୍ର ୬୨୫ ଟଙ୍କାରେ ଚାକିରି ଜୀବନ ଆରମ୍ଭ କରିଥିଲେ। ସେତେବେଳେ ସେ କୋରାପୁଟ ବନଖଣ୍ଡ ଅଧୀନରେ ଫରେଷ୍ଟ ଗାର୍ଡ ଭାବେ ନିଯୁକ୍ତି ପାଇଥିଲେ ।














