ଓଡ଼ିଶା ପୋଲିସ ସବ୍-ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାର ସିବିଆଇ ତଦନ୍ତ ଆରମ୍ଭ ପାଇଁ ରାଜ୍ୟ ସରକାର ସୋମବାର ଅଧିକୃତ ଭାବରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହା ଉପରେ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାର ଶୁଣାଣି ଶେଷ ହୋଇଛି। ଏହି ବିଷୟରେ ସଲିସିଟର୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଏସଆଇ ପରୀକ୍ଷା ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ଆଇନଜୀବୀ ଶିବଶଙ୍କର ମହାନ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିବା ନେଇ ସିଲିସିଟର୍ ଜେନେରାଲ କୋର୍ଟଙ୍କୁ ଅବଗତ କରାଇଥିଲେ । ଏହା ସହିତ କୋର୍ଟଙ୍କ ନିକଟରେ ବିଜ୍ଞପ୍ତିର ଏକ ନକଲ କପି ଦାଖଲ କରିଥିଲେ । ସିବିଆଇ ତଦନ୍ତ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇସାରିଥିବାରୁ ହାଇକୋର୍ଟ ମାମଲାକୁ ବନ୍ଦ କରିଛନ୍ତି । ସୁଚନା ଅନୁଯାୟୀ ଗତ ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ଏସଆଇ ପରୀକ୍ଷା ନିଯୁକ୍ତି ଘୋଟଲାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଦୁର୍ନୀତିର ଚେର ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପି ଥାଇପାରେ ସରକାର ସନ୍ଦେହ କରିଛନ୍ତି । ଏହା ସହିତ ଏହି ଦୁର୍ନୀତିରେ ଆନ୍ତ-ରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି ।ଏସବୁକୁ ଦୃଷ୍ଟିରେ ରଖି, ଏହି ଦୁର୍ନୀତିର ସଂପୂର୍ଣ୍ଣ ପର୍ଦ୍ଦାଫାସ୍ କରିବା ପାଇଁ ଏବଂ ଏଥିରେ ସଂପୃକ୍ତ ସମସ୍ତ ଅପରାଧୀ ମାନଙ୍କୁ ଆଇନ ପରିସରକୁ ଆଣି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ ଭାର ସି.ବି.ଆଇ କୁ ଦେବା ପାଇଁ ନିର୍ଣ୍ଣୟ ନେଇଥିଲେ ।














