ଓଡ଼ିଶାରେ ବେଦାନ୍ତ ଏକ ବଡ଼ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛି। ୧ ଲକ୍ଷ କୋଟି ଟଙ୍କା ନିବେଶରେ ୩୦ ଲକ୍ଷ ଟନର ଆଲୁମିନିୟମ ପ୍ଲାଣ୍ଟ ନିର୍ମାଣ କରାଯିବ। ବେଦାନ୍ତର ମୁଖ୍ୟ ଅନୀଲ ଅଗ୍ରୱାଲ କହିଛନ୍ତି, ମୁଖ୍ୟମନ୍ତ୍ରୀ ଜମି ପ୍ରଦାନର ପ୍ରତିଶ୍ରୁତି ଦେଇଛନ୍ତି, ଯାହା ଏକ ମାସ ମଧ୍ୟରେ ମିଳିବ। ଜମି ମିଳିଲେ ୩-୪ ମାସ ମଧ୍ୟରେ ପ୍ରକଳ୍ପର କାମ ଆରମ୍ଭ ହେବ। ୩୦-୪୦ ହଜାର ଲୋକଙ୍କୁ ଏଥିରେ କାମ ମିଳିବ। ପ୍ରକଳ୍ପ ସମ୍ପୂର୍ଣ ହେବାକୁ ୩ ରୁ ସାଢେ଼ ୩ ବର୍ଷ ଲାଗିପାରେ। ଆଗାମୀ ଦିନରେ ବେଦାନ୍ତ ଓଡିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ। ଏହାର ପରିଣାମରେ ରାଜ୍ୟରେ ୧ ଲକ୍ଷରୁ ଅଧିକ ଲୋକଙ୍କୁ ପ୍ରତ୍ଯକ୍ଷ ଓ ପରୋକ୍ଷ ଭାବରେ କାମ ମିଳିବ। ବୈଠକରୁ ଜଣାପଡ଼ିଛି ଯେ, କେନ୍ଦୁଝରରେ ଏକ ଅତ୍ୟାଧୁନିକ ଫେରୋ-ଆଲଏଜ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ, ବେଦାନ୍ତ ପକ୍ଷରୁ ୨ ହଜାର କୋଟି ଟଙ୍କା ନିବେଶ ହେବ। ଏହା ସହିତ ଓଡିଶାରେ ଦୁଇଟି ନୂଆ ଆଲୁମିନିୟମ୍ ପାର୍କ ପ୍ରତିଷ୍ଠା ହେବ ।ଝାରସୁଗୁଡାରେ ଥିବା ଏହାର ଆଲୁମିନିଅମ୍ ପ୍ଲାଣ୍ଟ ନିକଟରେ ଗୋଟିଏ ନୂଆ ଆଲୁମିନିଅମ୍ ପାର୍କ ପ୍ରତିଷ୍ଠା କରାଯିବ। ଏହା ସହିତ ରାଜ୍ୟର ଅନ୍ୟ ସ୍ଥାନରେ ଯେଉଁଠି ରାଜ୍ୟ ସରକାର ଜମି ଯୋଗାଇଦେବେ, ସେଠାରେ ମଧ୍ୟ ଆଉ ଏକ ଆଲୁମିନିଅମ୍ ପାର୍କ ପ୍ରତିଷ୍ଠା କରାଯିବ। ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ କହିଛନ୍ତି, ‘ସବୁ ରାଜ୍ୟ ମୋ ପଛରେ ପଡ଼ିଛନ୍ତି। କିନ୍ତୁ ମୋ ହୃଦୟରେ ଓଡ଼ିଶା ଅଛି। ଆନ୍ଧ୍ର ବିହାର ସବୁବେଳେ ଲାଗିଛନ୍ତି। ଆମ ଦେଶର ୭ ଲକ୍ଷ ଛାତ୍ରୀଛାତ୍ରୀ ବିଦେଶରେ ପଢୁଛନ୍ତି। ଜମି ଆମର ଅଛି।ଓଡ଼ିଶା ଲୋକଙ୍କ ସମର୍ଥନ ଦରକାର। ଦୁଇ ଲକ୍ଷ କୋଟିର ପ୍ରକଳ୍ପ। ସୁପ୍ରିମକୋର୍ଟ ରାୟକୁ ସମୀକ୍ଷା କରିବୁ। ଓଡ଼ିଶା ଲୋକ ସାଥିରେ ରହିଲେ ସାଙ୍ଗରେ ଆଗକୁ ଯିବା। ମୁଖ୍ୟମନ୍ତ୍ରୀ ବହୁତ ଭଲ ଲୋକ। କହିଲେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ ତ ଓଡ଼ିଶାରେ ହିଁ ହେବ। ଆପଣଙ୍କୁ ଆଉ କେଉଁଠି ଯିବାର ଆବଶ୍ୟକତା ନାହିଁ। ପୁରୀରେ ହେବ କି କେଉଁଠି ହେବ ଆମେ ଓଡ଼ିଶା ଲୋକଙ୍କ ଜନମତ ସହ କରିବୁ’। ଭିତ୍ତିଭୂମିର ବିକାଶ ତଥା ବେଦାନ୍ତ ଭଳି କମ୍ପାନୀର ପୁଞ୍ଜି ବିନିଯୋଗ ଜରିଆରେ ଓଡିଶା ସରକାର ଏହି ଲକ୍ଷ୍ୟ ହାସଲ କରିବେ। ଶିଳ୍ପ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏକ ଗ୍ଲୋବାଲ୍ ହବ୍ ହେବାପାଇଁ ଓଡିଶା ବର୍ତ୍ତମାନ ସମ୍ପୂର୍ଣ୍ଣଭାବେ ପ୍ରସ୍ତୁତ।ଏହି ଉଦ୍ୟମ ଦ୍ୱାରା କେବଳ ଅର୍ଥନୈତିକ ଅଭିବୃଦ୍ଧି ଆସିବ ନାହିଁ ଏହାଦ୍ୱାରା ଯୁବବର୍ଗଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହେବା ସହିତ ଜନସାଧାରଣଙ୍କୁ ସଶକ୍ତ କରିବ ଏବଂ ୨୦୩୬ ସୁଦ୍ଧା ୫୦୦ ବିଲିଅନ୍ ଡଲାର ଅର୍ଥନୀତିରେ ପରିଣତ ହେବାପାଇଁ କ୍ଷେତ୍ର ପ୍ରସ୍ତୁତ କରିବ।














