ଛତିଶଗଡ଼ର ବିଜାପୁରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇଜଣ ମାଓବାଦୀ ନିହତ ହୋଇଛନ୍ତି। ଗୁରୁବାର ସକାଳେ ଇନ୍ଦ୍ରାବତୀ ନଦୀ ଅଞ୍ଚଳରେ ଘଟଣାସ୍ଥଳରୁ SRL, INSAS, ବନ୍ଧୁକ ଓ ମାଓ ବିସ୍ଫୋରକ ଜବତ ହୋଇଛି। ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ଏକ ମିଳିତ ସୁରକ୍ଷା ଟିମ୍ ସମ୍ପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। ସର୍ଚ୍ଚ ଅପରେସନ ଚାଲିଥିବା ସମୟରେ ଲୁଚି ରହିଥିବା ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ପରେ ଯବାନ ଓ ମାଓବାଦୀଙ୍କ ଭିତରେ ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା । ଗୁଳିବିନିମୟ ଶେଷ ହେବା ପରେ ଘଟଣାସ୍ଥଳରେ ତଲାସି ଅଭିଯାନ କରାଯାଇଥିଲା।ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତଦେହ ନିକଟରୁ ଗୋଟିଏ SLR ରାଇଫଲ, ଗୋଟିଏ INSAS ରାଇଫଲ ଏବଂ ଗୋଟିଏ ୧୨-ବୋର ରାଇଫଲ ଓ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି । ସର୍ଚ୍ଚ ଅପରେସନ ଏବେ ମଧ୍ୟ ଜାରି ରହିଛି।














