୨୪ ବର୍ଷରେ ପାଦ ଥାପିଛି ବିଜେଡି । କରୋନା କଟକଣା ମଧ୍ୟରେ ପାଳନ କରାଯାଇଥିଲା ପ୍ରତିଷ୍ଠା ଦିବସ । ଦଳର ବିଧାୟକ , ସାଂସଦ , ମନ୍ତ୍ରୀ ଓ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ । ଭର୍ଚୁଆଲରେ ରହି ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବା ସହ ମହିଳାଙ୍କୁ କରିଥିଲେ ଫୋକସ । ମହିଳା ସଶକ୍ତ ପ୍ରସଙ୍ଗ ଉଠାଇଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । କହିଥିଲେ ‘ମା ଆଗେଇଲେ ଦେଶ ଆଗେଇବ’ । ମହିଳା ସଶକ୍ତିକରଣ କରିବା ଆମର ମୂଳ ଲକ୍ଷ୍ୟ । ମହିଳାଙ୍କୁ ସେମାନଙ୍କ ହକ୍ ନମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ । ମହିଳା ସଂରକ୍ଷଣ ପ୍ରସଙ୍ଗରେ ଜାତୀୟ ଦଳମାନଙ୍କୁ ଟାର୍ଗେଟ କରିଛନ୍ତି ନବୀନ । କେବଳ ନିର୍ବାଚନ ଆସିଲେ ବଡ ବଡ କଥା କୁହନ୍ତି ଜାତୀୟ ଦଳ । କିନ୍ତୁ ନିର୍ବାଚନ ସରିଗଲେ ସବୁ ପ୍ରତିଶ୍ରୁତି ଭୁଲି ଯାଆନ୍ତି । ସେପଟେ ବିରୋଧୀଙ୍କ ଅପପ୍ରଚାରକୁ କାଉଣ୍ଟର କରିବା ସହ ୨୦୨୪ରେ ପୁଣି କ୍ଷମତା ଦଖଲ କରିବାକୁ ଆହ୍ୱାନ ଦେଇଥିଲେ ଦଳର ନେତା । ତେବେ ଏତେ ବର୍ଷରୁ ନବୀବ କରିଆସୁଥିବା କାମକୁ ବର୍ଣ୍ଣନା କରିବାକୁ ଭୁଲି ନଥିଲେ ନେତାମାନେ ।
ଜଗତସିଂହପୁର ଜିଲ୍ଲାରେ ମଧ୍ୟ ପ୍ରତିଷ୍ଠା ଦିବସ ପାଳନ କରିଛି ଦଳ । ଜିଲ୍ଲା ମୁଖ୍ୟାଳୟ ଠାରେ ଜିଲ୍ଲା ବିଜେଡି ସଭାପତି ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଅଧକ୍ଷ୍ୟତାରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରିଥିବାବେଳେ ନବ ନିର୍ବାଚିତ ବିଧାୟକ ଦିବଙ୍ଗତ ନେତା ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରିଡି ଠାରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରିଛନ୍ତି । ଆଜି ପ୍ରତିଷ୍ଠା ଦିବସ ସମାରୋହରେ ଭିନ୍ନ ଢଙ୍ଗରେ ଭାଷଣ ଦେଇ ଲୋକଙ୍କ ସମର୍ଥନ ଜିଣିବାକୁ ସରଳତାର ଫର୍ମୁଲା ବତାଇଛନ୍ତି ମୁଖ୍ୟମନ୍ତ୍ରୀ । ହେଲେ ଏହା ଦଳ ପାଇଁ କେତେ ସହାୟକ ହୋଇପାରୁଛି ତା ଉପରେ ନଜର ।