ପରମାଣୁ ଶକ୍ତିକୁ ନେଇ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ପୁଣିଥରେ କହିଛନ୍ତି ଯେ ତାଙ୍କ ପାଖରେ ବିଶ୍ୱକୁ ଅନେକ ଥର ଧ୍ୱଂସ କରିବା ପାଇଁ ଯଥେଷ୍ଟ ପରମାଣୁ ଅସ୍ତ୍ର ଅଛି । ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ତାଙ୍କ ସାକ୍ଷାତକୁ ଜବରଦସ୍ତ ବୋଲି କହିଛନ୍ତି ଟ୍ରମ୍ପ । ଟ୍ରମ୍ପ କହିଛନ୍ତି ଯେ ତାଙ୍କର ଲକ୍ଷ୍ୟ ହେଉଛି ଏକ ପରମାଣୁ ମୁକ୍ତ ବିଶ୍ୱ ଗଠନ କରିବା । ହ୍ୱାଇଟ୍ ହାଉସରେ ଭାଷଣ ଦେଇ ଟ୍ରମ୍ପ କହିଛନ୍ତି, “ମୁଁ ଭାବୁଛି ପରମାଣୁ ନିରସ୍ତ୍ରୀକରଣ ଏକ ଚମତ୍କାର ଜିନିଷ ହେବ । ଆମେ ବିଶ୍ବକୁ ୧୫୦ ଥର ଉଡ଼ାଇ ଦେଇପାରିବୁ, କିନ୍ତୁ ଏହାର କୌଣସି ଆବଶ୍ୟକତା ନାହିଁ।”ଟ୍ରମ୍ପଙ୍କ କହିବା ଅନୁସାରେ, ଆମେରିକା ପାଖରେ ସବୁଠୁ ଅଧିକ ପରମାଣୁ ଅସ୍ତ୍ର ଅଛି । ଆମେରିକା ପରେ ଏହି ତାଲିକାରେ ଋଷ ଓ ଚୀନ୍‌ ରହିଛି । ଏହି ବିଷୟରେ ସେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ ଆଲୋଚନା କରିଥିବା ସୂଚନା ଦେଇଛନ୍ତି । ଟ୍ରମ୍ପ୍‌ଙ୍କ ମତରେ, ବିଶ୍ୱର ପ୍ରମୁଖ ନେତାମାନେ ଅସ୍ତ୍ରଶସ୍ତ୍ର ତିଆରି ଏବଂ ରକ୍ଷଣାବେକ୍ଷଣରେ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରିବା ପରିବର୍ତ୍ତେ, ସେହି ଅର୍ଥକୁ ଦେଶ ଓ ଜନସାଧାରଣଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବିନିଯୋଗ କରିବାକୁ ଆହ୍ବାନ ଦେଇଛନ୍ତି ଟ୍ରମ୍ପ । ଟ୍ରମ୍ପ କହିଥିଲେ, “ଆମେ ଆମର ପରମାଣୁ ଅସ୍ତ୍ରକୁ ପୁଣି ଥରେ ପ୍ରସ୍ତୁତ କରିଛୁ । ଆମେ ଏକ ନମ୍ବର ପରମାଣୁ ଶକ୍ତି, ଯାହା ଶୁଣିବାକୁ ଭୟଙ୍କର ଲାଗୁଛି କାରଣ ଏହା ଏତେ ଭୟଙ୍କର । ପରମାଣୁ ଅସ୍ତ୍ରଶସ୍ତ୍ରରେ ଋଷ ଦ୍ୱିତୀୟ ଏବଂ ଚୀନ୍ ତୃତୀୟ ସ୍ଥାନରେ ରହିଛି । କିନ୍ତୁ ସେମାନେ ଆଗାମୀ ଚାରି କିମ୍ବା ପାଞ୍ଚ ବର୍ଷ ମଧ୍ୟରେ ଆମ ସହିତ ମିଶିପାରିବେ। ମୁଁ ସମଗ୍ର ବିଶ୍ୱରେ ଶାନ୍ତି ଚାହୁଁଛି ବୋଲି ଟ୍ରମ୍ପ କହିଛନ୍ତି।

LEAVE A REPLY

Please enter your comment!
Please enter your name here