୨୦୨୩ ଅକ୍ଟୋବର ୭ରେ ଗାଜା ଶାସକ ସଂଗଠନ ହମାସ୍ ଇସ୍ରାଏଲ୍ ଉପରେ ଆକ୍ରମଣ ଆରମ୍ଭ କରିଥିଲା। ଏହି ଆକ୍ରମଣରେ ୧,୨୦୦ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୨୫୧ ଜଣକୁ ହମାସ୍ ପଣବନ୍ଦୀ କରିନେଇଥିଲା। ଏହା ପରେ ଇସ୍ରାଏଲ୍ ଗାଜା ଉପରେ ଆକ୍ରମଣ ଆରମ୍ଭ କଲା, ଯାହା ଏପର୍ଯ୍ୟନ୍ତ ଚାଲିଛି। ଆମେରିକା, କାତାର ଓ ଇଜିପ୍ଟ ମଧ୍ୟସ୍ଥତାରେ ଶାନ୍ତି ପ୍ରତିଷ୍ଠା ଉଦ୍ୟମ ଚାଲିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ୨୦-ସୂତ୍ରୀ ଶାନ୍ତି ଯୋଜନାକୁ ବାସ୍ତବ ରୂପ ଦେବା ପାଇଁ ଇସ୍ରାଏଲୀ ଅଧିକାରୀମାନେ ଇଜିପ୍ଟର ଶାର୍ମ ଏଲ୍-ଶେଖ୍ସ୍ଥିତ ରେଡ୍ ସି ରିସର୍ଟରେ ଏକାଠି ହୋଇଛନ୍ତି। ଇସ୍ରାଏଲ୍ ପକ୍ଷରୁ ପ୍ରତିନିଧି ଦଳର ନେତୃତ୍ୱ ରୋନ୍ ଡେରମର ନେଉଛନ୍ତି।
ନେତାନ୍ୟାହୁ ଚେତାବନୀ ଦେଇ କହିଛନ୍ତି ଯେ ଇରାନ୍ ଏବେ ୮ ହଜାର କିମି ଦୂରତା ବିଶିଷ୍ଟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବିକଶିତ କରୁଛି। ଏହି କ୍ଷମତାକୁ ଆଉ ୩ ହଜାର କିମି ବଢ଼ାଇଦେଲେ ଇରାନର ପରମାଣୁ ଅସ୍ତ୍ର ନିକ୍ଷେପ କ୍ଷମତା ଅଧୀନରେ ନ୍ୟୁୟର୍କ, ୱାସିଂଟନ, ବୋଷ୍ଟନ, ମିଆମି, ମାର୍-ଏ-ଲାଗୋ ଏହାର ରେଂଜ୍ରେ ଆସିପାରିବ। ତେବେ ଇରାନର ପରମାଣୁ କ୍ଷମତା ବୃଦ୍ଧି ଏବଂ କୂଟନୈତିକ ଓ ଆର୍ଥିକ ଉପାୟରେ ତେହେରାନର ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମକୁ ରୋକିବା ପାଇଁ ଆମେରିକାର ଜାରି ରହିଥିବା ପ୍ରୟାସକୁ ନେଇ ମଧ୍ୟପ୍ରାଚ୍ୟରେ ନୂତନ ଉତ୍ତେଜନା ବଢ଼ୁଛି। ନେତାନ୍ୟାହୁ କହିଛନ୍ତି ଯେ ଏହି ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱରେ କୌଣସି ଦେଶ ଏକାକୀ ରହିପାରିବ ନାହିଁ। ନେତାନ୍ୟାହୁ କହିଛନ୍ତି, ଇସ୍ରାଏଲ ଏବେ ବିଶ୍ୱର ବିପଦ ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି।












