ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାର ହିତାଧିକାରୀଙ୍କୁ ବି ମିଳିବ ମାଗଣା ସେବା । ଜାନୁୟାରୀ ପହିଲାରୁ ରାଜ୍ୟରେ ଥିବା ରାଷ୍ଟ୍ରିୟ ସ୍ୱାସ୍ଥ୍ୟ ବିମା ଯୋଜନା (ଆରଏସବିୱାଇ) ଯୋଜନାରେ ସମସ୍ତ ୪୪ ଲକ୍ଷ ୮ ହଜାର ୭୦ ହତାଧିକାରୀ ବିଜୁ କୃଷକ କଲ୍ୟାଣ ଯୋଜନା (ବିକେକେୱାଇ)ରେ ସାମିଲ ହେବେ । ଏହି ସମସ୍ତ ହିତାଧିକାରୀ ବିକେକେୱାଇ ଷ୍ଟ୍ରିମ-୨ କାର୍ଡ ପାଇବା ସହିତ ପୂର୍ବଭଳି ୧ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ପାଇବେ । ଏହାସହ ଏହି ହିତାଧିକାରୀମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ମଧ୍ୟ ପାଇବେ । ସୁଚନାଅନୁସାରେ, କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଆର.ଏସ.ବି .ୱାଇ ଯୋଜନାର ଅବଧି ଡିସେମ୍ବର ୩୧ ତାରିଖରେ ଶେଷ ହୋଇଛି । ତେଣୁ ରାଜ୍ୟରେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀମାନେ ଯେଭଳି ପୂର୍ବଭଳି ମାଗଣା ଚିକିତ୍ସା ପାଇପାରିବେ ସେଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ।

 ବିକେକେୱାଇ କାର୍ଡଧାରୀଙ୍କ ବ୍ୟତିତ ଅନ୍ତ୍ୟୋଦୟ ଅନ୍ନଯୋଜନାର ହିତାଧିକାରୀ ଏବଂ ଗ୍ରାମାଚଂଳରେ ବାର୍ଷିକ ୫୦ହଜାର ଓ ସହରାଂଚଳରେ ୬୦ହଜାର ଟଙ୍କାରୁ କମ୍ ଆୟକାରୀମାନେ ଏହି ସୁବିଧା ପାଇପାରିବେ । ଏହାଛଡା ହୃଦ୍ ରୋଗ, କିଡ୍‌ନୀ ଏବଂ କର୍କଟ ରୋଗରେ ପୀଡିତ ରୋଗୀଙ୍କ କ୍ଷେତ୍ରରେ ବାର୍ଷିକ ୩ ଲକ୍ଷ ଟଙ୍କାରୁ କମ୍ ଆୟକାରୀ ରାଜ୍ୟ ଚିକିତ୍ସା ପାଣ୍ଠିରୁ ସୁବିଧା ପାଇପାରିବେ ।

ଏହି ହିତାଧିକାରୀମାନେ ନିକଟସ୍ଥ ବିକେକେୱାଇ କିଓସ୍କରୁ ପୁରୁଣା ଆରଏସ୍‌ବିୱାଇ କାର୍ଡ ବଦଳରେ ନୂତନ ବିକେକେୱାଇ (ଷ୍ଟ୍ରିମ୍-୨) କାର୍ଡ ସଂଗ୍ରହ କରିବାପାଇଁ ପରାମର୍ଶ ଦିଆଯାଇଛି । ନୂଆ ଯୋଜନାରେ ସାମିଲ ହିତାଧିକାରୀମାନେ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯିବ ।  ଏ ସଂକ୍ରାନ୍ତରେ ଅଧିକ ବିବରଣୀ ପାଇଁ ଦେୟମୁକ୍ତ ନମ୍ବର ୧୫୫୩୬୯ରେ ଯୋଗାଯୋଗ କରିହେବ ।

୨୦୧୮ ଅଗଷ୍ଟ ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ୧ କୋଟି ୮୦ ଲକ୍ଷ ଲୋକ ମାଗଣା ଚିକିତ୍ସିତ ହୋଇଛନ୍ତି ବୋଲି ପ୍ରତାପ ଜେନା କହିଛନ୍ତି ।
ସେହିପରି ବିନା କାର୍ଡରେ ମିଳିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ପାଇଁ କୌଣସି କାର୍ଡ ଦେଖାଇବା ଆବଶ୍ୟକ ନାହିଁ । ଏନେଇ ରାଜ୍ୟର ୭୦ ଲକ୍ଷ ପରିବାର ଏହି ଯୋଜନାରେ ସାମିଲ ହୋଇଛନ୍ତି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here