ରାଜଧାନୀ ଭୁବନେଶ୍ୱରରେ ଝାଡ଼ଖଣ୍ଡ ନାବାଳିକା ଗଣଦୁଷ୍କର୍ମ ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିବାକୁ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି । କ୍ରାଇମବ୍ରାଞ୍ଚର ସିଏଡବ୍ଲ୍ୟୁର ସ୍ୱତନ୍ତ୍ର ଟିମ୍ ତଦନ୍ତ କରିବ । ସିଏଡବ୍ଲ୍ୟୁ ମୁଖ୍ୟ ଏସ୍ ସାଇନି ଘଟଣାକୁ ତଦାରଖ କରିବା ସହିତ ତଦନ୍ତରେ ୪ ମହିଳା ଡିଏସପି ସହଯୋଗ କରିବେ । ଘଟଣାର ପର୍ଦ୍ଦାଫାସ୍ କରିବାକୁ ଝାଡ଼ଖଣ୍ଡ ପୋଲିସ ସହିତ ଓଡ଼ିଶା ପୋଲିସ ଯୋଗାଯୋଗ କରିବ । ଆସନ୍ତାକାଲିରୁ ରେଡ୍ ଫ୍ଲାଗ୍ କରାଯାଇ ତଦନ୍ତ କରିବ କମିଶନରେଟ୍ ପୋଲିସ । ଗତ ୧୬ ତାରିଖ, ଗୁରୁବାର ରାତିରେ ଜଣେ ମହିଳା ନାବାଳିକାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇକି ଆସିଥିଲେ । ଉକ୍ତ ନାବାଳିକା ଜଣକ ଝାଡ଼ଖଣ୍ଡର ଅଟନ୍ତି । ନାବାଳିକାଙ୍କର ପ୍ରବଳ ରକ୍ତ ସ୍ରାବ ହେଉଥିବାରୁ ଡାକ୍ତର ଗଣଦୁଷ୍କର୍ମ ସନ୍ଦେହ କରି ପୋଲିସକୁ ସୂଚନା ଦେଇଥିଲେ । ପୀଡ଼ିତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସେପଟେ ମଉକା ଦେଖି ମହିଳା ଜଣକ ଏକ ଅନଲାଇନ ଅଟୋରେ ଫେରାର ହୋଇଯାଇଥିଲେ ।ଲକ୍ଷ୍ମୀସାଗର ଅଞ୍ଚଳରେ ପୋଲିସ ଏକ ଅଟୋକୁ ଧରିବା ପରେ ଏଥିରୁ ବାହାରିଛି ଅନେକ ତଥ୍ୟ । ତଦନ୍ତ ପରେ ପୋଲିସ ଜଣାଇଛି ଯେ, ଏହି ଘଟଣା ସେକ୍ସ ରାକେଟ୍ ସହ ସଂପୃକ୍ତ । ମାମଲାରେ ଦୁଇ ମହିଳା ମମତା ସାହୁ ଓ ମଞ୍ଜୁ ସେଠୀ — ସହିତ ଘରମାଲିକ ସଞ୍ଜୀବ କୁମାର ଦାସ ଏବଂ ତାଙ୍କ ସହଯୋଗୀ ଅବିନାଶ ମୁଦୁଲିଙ୍କୁ ପୋଲିସ ଗିରଫ କରିଛି । ତଥାପି, ଏହି ରାକେଟ୍ର ମୁଖ୍ୟ ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର ରହିଛି।














