ଦିଲ୍ଲୀ କାର୍ ବିସ୍ଫୋରଣକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି। ଦିଲ୍ଲୀ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ବିସ୍ଫୋରଣ ସୋମବାର ସନ୍ଧ୍ୟା ପ୍ରାୟ ୬.୫୨ ସମୟରେ ଘଟିଥିଲା ଯେତେବେଳେ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ଏକ ଟ୍ରାଫିକ୍ ସିଗନାଲରେ ଏକ ହ୍ୟୁଣ୍ଡାଇ ଆଇ୨୦ ହଠାତ୍ ନିଆଁରେ ଜଳି ଉଠିଥିଲା। ବିସ୍ଫୋରଣରେ ନିକଟବର୍ତ୍ତୀ ଅନେକ ଯାନବାହନ ଜାଳି ଯାଇଥିଲା। ଘଟଣା ସ୍ଥଳରେ ବିସ୍ପୋରଣରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା। ପରେ ଆଉ ତିନି ଜଣ ପୀଡିତଙ୍କ ମୃତ୍ୟୁ ହୋଇଥିଲା ଆଜି ପୁଣି ଆଉ ଜଣେ ପୀଡ଼ିତ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଝିଛନ୍ତି। ଦିଲ୍ଲୀ ବିସ୍ଫୋରଣର ତଦନ୍ତ ଆଜି ତୃତୀୟ ଦିନରେ ପହଞ୍ଚିଛି ଏବଂ ଏହାର ନେତୃତ୍ୱ ନେଉଛି ଆତଙ୍କବାଦ ବିରୋଧୀ ସଂସ୍ଥା, ଜାତୀୟ ତଦନ୍ତକାରୀ ସଂସ୍ଥା। ତଦନ୍ତକାରୀମାନେ ଫରିଦାବାଦର ଅଲ୍-ଫଲାହ ବିଶ୍ୱବିଦ୍ୟାଳୟର ତିନି ଜଣ ଡାକ୍ତରଙ୍କୁ ହେପାଜତକୁ ନେଇଛନ୍ତି, ଯେଉଁଠାରେ ଡାକ୍ତର ଉମର ମହମ୍ମଦ ମଧ୍ୟ କାର୍ଯ୍ୟ କରୁଥିଲେ। ତଦନ୍ତକାରୀମାନେ ବିସ୍ଫୋରଣରେ ବ୍ୟବହୃତ କାରର ବିକ୍ରୟ ଏବଂ କ୍ରୟକୁ ମଧ୍ୟ ଟ୍ରାକ୍ କରୁଛନ୍ତି ଏବଂ ବିସ୍ଫୋରଣ ପୂର୍ବରୁ ଏହାର ଯାତ୍ରାକୁ ମଧ୍ୟ ଟ୍ରାକ୍ କରୁଛନ୍ତି। ବିସ୍ଫୋରଣ ଘଟଣାର ତଦନ୍ତ କରୁଥିବା ଅଧିକାରୀ ଷଡ଼ଯନ୍ତ୍ରର ଖୁଲାସା କରିଛନ୍ତି। ଜୈଶ-ଏ-ମହମ୍ମଦ ସହ ଜଡ଼ିତ ସନ୍ଦିଗ୍ଧ ‘ଡାକ୍ତର ମଡ୍ୟୁଲ୍’ ଆସନ୍ତା ଡିସେମ୍ବର ୬ ତାରିଖରେ ଦିଲ୍ଲୀର ୬ରୁ ୭ଟି ସ୍ଥାନରେ ସିରିଜ୍ ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ। ଗିରଫ ହୋଇଥିବା ସନ୍ଦିଗ୍ଧମାନେ ପଚରାଉଚରା ବେଳେ ପ୍ରକାଶ କରିଛନ୍ତି ଯେ, ସେମାନେ ବାବ୍ରି ମସଜିଦ୍ ଭାଙ୍ଗିବାର ବାର୍ଷିକୀ ଦିନ ଡିସେମ୍ବର ୬ କୁ ପ୍ରତିଶୋଧ ନେବା ପାଇଁ ଟାର୍ଗେଟ୍ କରିଥିଲେ।













