ଦିଲ୍ଲୀରେ ହୋଇଥିବା ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା ଜମ୍ମୁ କାଶ୍ମୀର ଓ ଉତ୍ତର ପ୍ରଦେଶରୁ ଆଉ ଚାରି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଜମ୍ମୁ କାଶ୍ମୀର ପୁଲୱାମାର ଡାକ୍ତର ମୁଜାମିଲ୍ ଶକୀଲ, ଅନନ୍ତନାଗର ଡାକ୍ତର ଆଦୀଲ ଅହମଦ ରାଠର୍, ସୋପିଆନର ମୁଫତି ଇରଫାନ ଅହମଦ ୱାଗୟ ଏବଂ ଉତ୍ତର ପ୍ରଦେଶ ଲକ୍ଷ୍ନୌର ଡାକ୍ତର ଶାହୀନ ଶଇଦ । ପଟିଆଲା ହାଉସ କୋର୍ଟର ଜିଲ୍ଲା ସେସନ୍ସ ଜର୍ଜ ପ୍ରଡକ୍ସନ ଅର୍ଡର ପରେ ଜମ୍ମୁ ଓ କାଶ୍ମୀରର ଶ୍ରୀନଗରରେ ଏନଆଇଏ ଚାରି ଅଭିଯୁକ୍ତଙ୍କୁ ହେପାଜତକୁ ନେଇଛି । ସେମାନେ ସମସ୍ତେ ଆତଙ୍କବାଦୀ ଆକ୍ରମଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ, ଯେଉଁଥିରେ ଅନେକ ନିର୍ଦ୍ଦୋଷ ବ୍ୟକ୍ତି ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ ମଧ୍ୟ ହୋଇଥିଲେ।ଏହି ମାମଲାରେ ତଦନ୍ତ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ବେଳେ ଏନଆଇଏ ପୂର୍ବରୁ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଥିଲା – ଆମିର ରସିଦ ଅଲି, ଯାହାଙ୍କ ନାମରେ ବିସ୍ଫୋରଣରେ ବ୍ୟବହୃତ କାରଟି ପଞ୍ଜିକୃତ ହୋଇଥିଲା, ଏବଂ ଜସିର ବିଲାଲ ୱାନି ଓରଫ୍ ଡାନିଶ, ଯିଏ ଏହି ଘାତକ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀକୁ ବୈଷୟିକ ସହାୟତା ଯୋଗାଇ ଦେଇଥିଲା । ସମ୍ପୂର୍ଣ୍ଣ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିବା ପାଇଁ ଏନଆଇଏ ତଦନ୍ତ କରୁଅଛି ।














