ଦିଲ୍ଲୀର ବହୁ ଚର୍ଚ୍ଚିତ ଅବକାରୀ ନୀତି ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ନ୍ୟାୟ । ଶୁକ୍ରବାର ଦିଲ୍ଲୀ କୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଓ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ସମସ୍ତ ୨୩ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସିବିଆଇ ପକ୍ଷରୁ ଦାଖଲ କରାଯାଇଥିବା ଚାର୍ଜସିଟ୍ କୋର୍ଟରେ ଦୁର୍ବଳ ସାବ୍ୟସ୍ତ ହୋଇଥିଲା । ଚାର୍ଜସିଟରେ ଉପଯୁକ୍ତ ପ୍ରମାଣର ଅଭାବ ଥିଲା । ରାଉଜ୍ ଏଭିନ୍ୟୁ ଅଦାଲତର ସ୍ୱତନ୍ତ୍ର ବିଚାରପତି ଜିତେନ୍ଦ୍ର ସିଂହ ଶୁଣାଣିରେ କହିଥିଲେ ଯେ, “ଅବକାରୀ ନୀତିରେ ବ୍ୟାପକ ଷଡ଼ଯନ୍ତ୍ର କିମ୍ବା ଅପରାଧିକ କାର୍ଯ୍ୟ ପରିଲକ୍ଷିତ ହୋଇନାହିଁ । ସିବିଆଇ ପାଖରେ ମାମଲାକୁ ଚଳାଇବାକୁ ଉଚିତ୍ ସାକ୍ଷ୍ୟ କିମ୍ବା ପ୍ରମାଣ ନାହିଁ । ତେଣୁ କୋର୍ଟ ଉକ୍ତ ମାମଲାକୁ ଖାରଜ କରିବା ସହିତ ସମସ୍ତ ୨୩ ଅଭିଯୁକ୍ତ ଦୋଷମୁକ୍ତ ଘୋଷଣା କରିଛନ୍ତି । ଅଦାଲତଙ୍କ ନିଷ୍ପତ୍ତି ଶୁଣିବା ପରେ ଅରବିନ୍ଦ କେଜ୍ରିୱାଲ ଭାବବିହ୍ୱଳ ହୋଇ କାନ୍ଦିଥିଲେ ଏବଂ କାନ୍ଦି କାନ୍ଦି କହିଥିଲେ “ମୁଁ ଦୁର୍ନୀତି କରିନାହିଁ । କେଜ୍ରିୱାଲ ଦୁର୍ନୀତିଗ୍ରସ୍ତ ନୁହେଁ । ମୁଁ ସଚ୍ଚୋଟତାର ସହିତ କାମ କରିଛି”। କେଜ୍ରିୱାଲ ଅଦାଲତଙ୍କ ରାୟ ଶୁଣିବା ପରେ କହିଛନ୍ତି ଯେ, ତାଙ୍କ ଉପରେ ମିଥ୍ୟା ମାମଲା କରାଯାଇଥିଲା । ସତ୍ୟର ବିଜୟ ହୋଇଛି । ଦଳକୁ ଶେଷ କରିଦେବାକୁ ଦଳର ସବୁଠାରୁ ୫ ବଡ଼ ନେତାଙ୍କୁ ଜେଲରେ ଭର୍ତ୍ତି କରିଦିଆଗଲା । ଶାସନରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଘରୁ ଘୋଷାଡ଼ିକି ନେଇ ଗିରଫ କରାଗଲା । କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ ଗାଦି ପାଇଁ ସମ୍ବିଧାନ ସହିତ ଖେଳ ନାହିଁ । ଦେଶର ଚାରିଆଡ଼େ ସମସ୍ୟା ଉପରେ ସମସ୍ୟା ରହିଛି । ସେହି ସମସ୍ୟାକୁ ସମାଧାନ କରି ଶାସନକୁ ଆସ ବୋଲି କହିଛନ୍ତି।













