ଚାଷୀଙ୍କ ପାଇଁ କେନ୍ଦ୍ର ସରକାର କରିଥିବା ଯୋଜନାରେ ଭୂମିହୀନ ଓ ଭାଗଚାଷୀଙ୍କ ପାଇଁ କିଛି ନାହିଁ. କେନ୍ଦ୍ର ସରକାର ସେମାନଙ୍କୁ ଅଣଦେଖା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି. ପୁରୀ ଜିଲ୍ଲାର କଣାସ ଓବ୍ରହ୍ମଗିରିର କେରାଣ୍ଡିଆରେ ଆୟୋଜିତ ସମାବେଶରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ସର୍ବାଧିକ ଗୁରୁତ୍ବ ଦିଆଯାଇଛି. ଏହି ଯୋଜନାର ସୁଫଳ ପାଇବାରୁ ଯେପରି ଜଣେ ଚାଷୀ ବି ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଧ୍ୟାନ ଦିଆଯାଉଛି. କାଳିଆ ଯୋଜନା ସାରା ଦେଶକୁ ବାଟ ଦେଖାଇଛି. ଏପର୍ଯ୍ୟନ୍ତ ରାଜ୍ୟର 16 ଲକ୍ଷ ଚାଷୀ ଏହାଦ୍ବାରା ଉପକୃତ ହୋଇସାରିଲେଣି ବୋଲି ନବୀନ କହିଛନ୍ତି. ଏହି ଅବସରରେ ମୁଖ୍ୟମନ୍ତ୍ରୀ କଣାସ ଠାରେ 251 କୋଟି ଓ ବ୍ରହ୍ମଗିରିରେ 271 କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଶୁଭାରମ୍ଭ କରିଥିଲେ.