ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଥିବାବେଳେ ଦୁଇ ପଡ଼ୋଶୀ ରାଜ୍ୟରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି । ପଞ୍ଜାବ ଏବଂ ଜାମୁ କଶ୍ମୀର ଭିନ୍ନ ଭିନ୍ନ ସ୍ଥାନରୁ ଆଇଇଡି ବିସ୍ଫୋରକ ଜବତ ହୋଇଛି । ପଞ୍ଜାବର ଅମୃତସରର ରେୟା ପୋଲିସ ପୋଷ୍ଟ ନିକଟରେ ଏକ ସନ୍ଦିଗ୍ଧ ବ୍ୟାଗ୍ ଦେଖାଯାଇଥିଲା ଓ ପୋଲିସ ତୁରନ୍ତ ବୋମା ନିରୋଧକ ଟିମକୁ ଡକାଇ ଯାଞ୍ଚ କରିଥିଲା ଏବଂ ବ୍ୟାଗ ଭିତରୁ ଆଇଇଡି ମିଳିଥିଲା ଓ ସୁରକ୍ଷିତଭାବେ ନିଷ୍କ୍ରିୟ କରାଯାଇଥିଲା । କଶ୍ମୀରର ଗାନ୍ଦରବଲ ଜିଲ୍ଲାର ସଫାପୋରା ଅଞ୍ଚଳରୁ ମଧ୍ୟ ଆଇଇଡି ଜବତ ହୋଇଛି । ସେନା ଏବଂ କଶ୍ମୀର ପୋଲିସ ଏହାକୁ ନିଷ୍କ୍ରିୟ କରିଛି । ସୁଚନା ଅନୁଯାୟୀ, ନୂଆଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ରିପୋର୍ଟ ଆସିବା ପରେ ହାଇଆଲର୍ଟରେ ରଖାଯାଇଛି । ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ଦିଲ୍ଲୀରେ ଆଇଇଡି ବିସ୍ଫୋରଣ କରିବାର ବଡ଼ ଷଡ଼ଯନ୍ତ୍ର କରିଛି । ବିଶେଷକରି ଜନଗହଣଳି ପୂର୍ଣ୍ଣ ସ୍ଥାନ ଏବଂ ଧାର୍ମିକ ସ୍ଥଳକୁ ଟାର୍ଗେଟ୍ କରାଯାଇଛି । ଚାନ୍ଦିନୀ ଚୌକରେ ଥିବା ବିଭିନ୍ନ ମନ୍ଦିର, ଲାଲକିଲ୍ଲା, ଇଣ୍ଡିଆ ଗେଟ୍ ଆଦି ସ୍ଥାନ ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here