ପାକିସ୍ତାନ ଭୟଙ୍କର ବିସ୍ଫୋରଣରେ ୧୧ ଜଣ ପୋଲିସ କର୍ମଚାରୀଙ୍କ ସହିତ ୧୨ ଜଣଙ୍କର ମୃତ୍ୟୁ ହୋଇଛି ଓ ୭ ଜଣ ଗୁରୁତର ହୋଇଛନ୍ତି । ଉତ୍ତର-ପଶ୍ଚିମରେ ବାଜୌରରେ ଏକ ଚେକ୍ ପୋଷ୍ଟ ନିକରେ ଆତଙ୍କାବାଦୀ ଆକ୍ରମଣ ହୋଇଥିବା ପାକିସ୍ତାନୀ ସେନା ଦାବି କରିଛି । ସୁଚନା ଅନୁଯାୟୀ, ଫିତନା ଅଲ-ଖାୱାରିଜ ସହିତ ଜଡିତ ଖାୱାରିଜମାନେ ବାଜୌର ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକର ଏକ ମିଳିତ ଚେକ୍ ପଏଣ୍ଟ ଉପରେ ଏକ ଆତଙ୍କବାଦୀ ଆକ୍ରମଣ ଉଦ୍ୟମ କରିଛନ୍ତି । ପାକିସ୍ତାନ ଦାବି କରିଛି ଯେ ଆକ୍ରମଣରେ ୧୨ ଜଣ ଆକ୍ରମଣକାରୀ ନିହତ ହୋଇଛନ୍ତି। ବିସ୍ଫୋରଣର ପ୍ରଭାବ ନିକଟସ୍ଥ ଘର ଗୁଡ଼ିକ ଉପରେ ପଡ଼ିଥିଲା ଓ ସେଥିରେ ଜଣେ ନାବାଳିକାର ମଧ୍ୟ ମୃତ୍ୟୁ ହୋଇଛି । ଚଳିତ ମାସ ୬ ତାରିଖରେ ପାକିସ୍ତାନର ଏକ ମସଜିଦରେ ବୋମା ବିସ୍ଫୋରଣରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା । ୬୦ରୁ ଅଧିକ ଗୁରୁତର ହୋଇଛନ୍ତି । ଗତବର୍ଷ ନଭେମ୍ବର ୧୧ରେ ଇସଲାମାବାଦର ଜି-୧୧ ଅଞ୍ଚଳରେ ଏକ ଜିଲ୍ଲା ଏବଂ ସେସନ୍ସ କୋର୍ଟ କୋଠା ବାହାରେ ଏକ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା ଓ ସେଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା, ୩୦ ରୁ ଅଧିକ ଆହତ ହୋଇଥିଲେ।














