କଟକ : ବନ୍ଦ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ । ଚୌଦ୍ୱାର ଜରିପଡ଼ା ପଞ୍ଚାୟତ ସାମନ୍ତରାପୁର ଗାଁରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଯାଜପୁର ଜିଲ୍ଲା ରଙ୍ଗିଦାସପୁର ଗାଁର ରଞ୍ଜୁଲତା ପ୍ରଧାନଙ୍କ ଝିଅ ସୀତୁ ପ୍ରଧାନ । ଗତ ଦେଢ଼ ବର୍ଷ ତଳେ ସୀତୁ କଟକ ଜିଲ୍ଲା ଟାଙ୍ଗୀ ଥାନା ସାମନ୍ତରାପୁର ମୁଲିଆ ସ୍ୱାଇଁଙ୍କ ପୁଅ ରାଜେନ୍ଦ୍ର ସ୍ୱାଇଁଙ୍କୁ ବିବାହ କରିଥିଲେ । ତାଙ୍କର 6 ମାସର ପୁତ୍ର ସନ୍ତାନ ରହିଛି । ତେବେ ବାହାଘରର 6 ମାସ ପରେ ଶାଶୁଘର ଲୋକେ ସୀତୁଙ୍କୁ ଯୌତୁକ ପାଇଁ ଶାଶୁ, ଶ୍ୱଶୁର ଓ ସ୍ୱାମୀ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ତେବେ ମୃତ ମହିଳା ବୁଧବାର ଦିନ ସଂଧ୍ୟାରେ ତାଙ୍କ ମାଆଙ୍କ ସହ କଥା ହୋଇଥିଲେ । ହେଲେ ମାତ୍ର ଅଧଘଣ୍ଟା ପରେ ଝିଅର ମୃତ୍ୟୁ ଖବର ବାପଘର ଲୋକଙ୍କୁ ମିଳିଥିଲା । ତେବେ ଘରେ ଝିଅର ମୃତଦେହ ପଡିଥିବାବେଳେ ଶାଶୁଘର ଲୋକେ ଫେରାର ହୋଇଯାଇଛନ୍ତି । ଏନେଇ ଝିଅକୁ ହତ୍ୟା କରାଯାଇଛି ବୋଲି ବାପଘର ଲୋକେ ଟାଙ୍ଗୀ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାର ତଦନ୍ତ ଜାରି ରଖିଛନ୍ତି ।