ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଂଲାଦେଶ କ୍ରିକେଟ୍ ବୋର୍ଡ ଫାଇନାନ୍ସ କମିଟିର ଅଧ୍ୟକ୍ଷ ଏମ୍. ନଜମୁଲ ଇସ୍ଲାମଙ୍କୁ ପଦରୁ ମୁକ୍ତ କରାଯାଇଛି । ଏମ୍. ନଜମୁଲ ଇସ୍ଲାମ ବାଂଲାଦେଶର ପୂର୍ବତନ ଅଧିନାୟକ ତମୀମ ଇକବାଲଙ୍କୁ “ଇଣ୍ଡିଆ ଏଜେଣ୍ଟ” ବୋଲି କହିଥିଲେ । ଯାହାକୁ ନେଇ ବିବାଦ ବଢ଼ିଥିଲା । କ୍ରିକେଟର୍ସ ୱେଲଫେୟାର୍ ଆସୋସିଏସନ୍ ଅଫ୍ ବାଂଲାଦେଶ ବା ସିଡବ୍ଲ୍ୟୁଏବି ନଜମୁଲଙ୍କ ଏଭଳି ବୟାନକୁ କଡ଼ା ନିନ୍ଦା କରିଥିଲା ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲା । ବିସିବି ଏହା ସ୍ପଷ୍ଟ କରିଛି ଯେ ବିସିବି ନିୟମର ଅନୁଚ୍ଛେଦ ୩୧ ଅନୁସାରେ ଅଧ୍ୟକ୍ଷଙ୍କୁ ଦିଆଯାଇଥିବା ଅଧିକାର ଆଧାରରେ ନିଆଯାଇଛି । ବିସିବି ଅଧ୍ୟକ୍ଷ ନିଜେ ଫାଇନାନ୍ସ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷଭାବେ ଦାୟିତ୍ୱ ସମ୍ପାଦନ କରିବେ । ବୋର୍ଡକୁ ପ୍ରଭାବୀ ଏବଂ ବ୍ୟବସ୍ଥିତ ଢଙ୍ଗରେ ପରିଚାଳିତ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି । ବୋର୍ଡ କହିଛି ଯେ ଖେଳାଳୀଙ୍କ ହିତ ସର୍ବ ପ୍ରଥମ । ବିସିବି ସମସ୍ତ ଖେଳାଳୀଙ୍କ ସମ୍ମାନ, ଗୌରବ ଏବଂ ଅଧିକାରର ସୁରକ୍ଷା ଦେବାକୁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଅଟେ । ଖେଳାଳୀମାନେ ବାଂଲାଦେଶ ପ୍ରିମିୟର ଲିଗରେ ଅଂଶ ଗ୍ରହଣ କରିବେ ଏବଂ ଦେଶରେ କ୍ରିକେଟର ଭବିଷ୍ୟତ ପାଇଁ ଯୋଗଦାନ ଦେବେ ବୋଲି ବିସିବି କହିଛି । ପୂର୍ବରୁ ମଧ୍ୟ ସମସ୍ତ ଖେଳାଳୀ ନଜମୁଲଙ୍କ କାର୍ଯ୍ୟପନ୍ଥାକୁ ନେଇ ଅସନ୍ତୁଷ୍ଟ ଥିଲେ । ସେଥିପାଇଁ ତାଙ୍କ ବହିଷ୍କାର ଦାବି କରିଥିଲେ , ବିପିଏଲକୁ ବୟକଟ୍ କରିଥିଲେ ଏବଂ ଆନ୍ଦୋଳନ ମଧ୍ୟ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ବିସିବି କାରଣ ଦର୍ଶାଅ ନୋଟିସ୍ ଜାରି କରିବା ପରେ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି ।














