ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ କାରବାରରେ ରାଜ୍ୟ ପୋଲିସକୁ ମିଳିଛି ବଡ଼ ସଫଳତା । ୬୧ଟି ମାମଲା ରୁଜୁ କରାଯିବା ସହ ମୋଟ ୭୩,୧୮୧ ବୋତଲ ନିଶାଦ୍ରବ୍ୟ ମିଶ୍ରିତ କଫ ସିରପ ଜବତ କରାଯାଇଛି । ଏହି କାରବାରରେ ସମ୍ପୃକ୍ତ ୧୮୧ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ରାଜ୍ୟ ପୋଲିସ ।ବେଆଇନ କଫ୍ ସିରପ୍ ଚୋରା ଚାଲାଣ ଓ ବ୍ୟବସାୟକୁ ରୋକିବାକୁ ଓଡିଶା ପୋଲିସ କଠୋର ପଦକ୍ଷେପ ଗ୍ରହଣ କରୁଛି । ଗତ କିଛି ଦିନରେ ସ୍ୱତନ୍ତ୍ର ଅଭିଯାନ ଜରିଆରେ ଅନେକ ଲୋକଙ୍କୁ ଗିରଫ କରାଯାଇ ସାରିଲାଣି । ଭୁବନେଶ୍ୱର ଏସଟିଏଫ୍ ସର୍ବାଧିକ ୨୬,୬୫୮ ବୋତଲ କଫ ସିରପ୍ ଜବତ କରି ଏହି ଅଭିଯାନରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସମ୍ବଲପୁର ଜିଲ୍ଲା ପୋଲିସ ୧୩ଟି ମାମଲା ରୁଜୁ କରିଛି ଓ ୧୯,୯୦୮ ବୋତଲ କଫ ସିରପ ଜବତ କରାଯାଇଛି । ବରଗଡ଼ ଜିଲ୍ଲା ପୋଲିସ ୧୭ଟି ମାମଲା , ବଲାଙ୍ଗୀର ୧୨ଟି ମାମଲା , ସୁବର୍ଣ୍ଣପୁର ଜିଲ୍ଲାରେ ୬ଟି ମାମଲା, ବୌଦ୍ଧ ଜିଲ୍ଲାରେ ୪ ଟି ମାମଲା ଓ ସୁନ୍ଦରଗଡ଼ ଜିଲ୍ଲାରେ ୩ଟି ମାମଲା ରୁଜୁ କରାଯାଇଛି । ସମ୍ବଲପୁର ଜିଲ୍ଲା ପୋଲିସ ୬୬ ଜଣଙ୍କୁ ଗିରଫ କରିଥିବା ବେଳେ, ବଲାଙ୍ଗୀର ପୋଲିସ ୨୩ , ସୁବର୍ଣ୍ଣପୁର ପୋଲିସ ୭ ଜଣ, ସୁନ୍ଦରଗଡ ୬ ଜଣ ବରଗଡ଼ ପୋଲିସ ୬୪ ଏବଂ କେଉଁଝର ଜିଲ୍ଲାରେ ୬ ଜଣଙ୍କୁ ଗିରଫ କରାଯାଇଛି । ରାଜ୍ୟ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ସମସ୍ତ ଜିଲ୍ଲା ଏବଂ ବିଶେଷ ଟାସ୍କ ଫୋର୍ସକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଆଗାମୀ ଦିନରେ ମଧ୍ୟ ଏପରି ଅଭିଯାନ ଚାଲି ରହିବ ଏବଂ ନିଶା ବ୍ୟବସାୟୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ।

LEAVE A REPLY

Please enter your comment!
Please enter your name here