ନଭେମ୍ବର ୨୧ ତାରିଖ ଶୁକ୍ରବାର ଅପରାହ୍ନରେ ଦୁବାଇ ଏୟାର ଶୋରେ ଭାରତର ଲଢୁଆ ବିମାନ ତେଜନ କ୍ରାସ ହୋଇଥିଲା । ଏୟାର ଶୋରେ ଶକ୍ତି ଦେଖାଉଥିବା ସମୟରେ ହଠାତ ତଳକୁ ଖସିପଡିଥିଲା ବିମାନ । ପରେ ବିମାନରେ ନିଆଁ ଲାଗିଯାଇଥିଲା, ଏହାକୁ ଉଡାଉଥିବା ଓ୍ବିଙ୍କ କମାଣ୍ଡର ନମାଂଶ ସିଆଲ ଶହୀଦ ହୋଇଥିଲେ । ଶହୀଦ ହୋଇଥିବା ଓ୍ବିଙ୍ଗ କମାଣ୍ଡର ନମାଂଶ ସିଆଲଙ୍କ ପାର୍ଥିବ ଶରୀର ଭାରତରେ ପହଞ୍ଚିଛି । ଆଜି ସକାଳେ କୋଏମ୍ବାଟୁରରୁ ସୁଲୁର ଏୟାରବେସକୁ ଅଣାଯାଇଛି । ଭାରତୀୟ ବାୟୁସେନା ଅଧିକାରୀଙ୍କ ମରଶରୀରରକୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଦୁବାଇରୁ ଭାରତକୁ ଅଣାଯାଇଥିଲା । ତାଙ୍କର ସାହସିକତା ଓ ସେବାର ସମ୍ମାନ ପାଇଁ ଏମିରାତି ଡିଫେନ୍ସ ସେରିମନିଆଲ ଗାର୍ଡଅଫ ଅନର ପ୍ରଦାନ କରିଥିଲେ । ଶହୀଦ ଓ୍ବିଙ୍ଗ କମାଣ୍ଡର ନମାଂଶ ସିଆଲ ହିମାଚଳ ପ୍ରଦେଶର କାଙ୍ଗଡା ଜିଲ୍ଲାର ନାଗ୍ରୋଟା ବାଗଓ୍ବାନର ବାସିନ୍ଦା। ପରିବାରରେ ତାଙ୍କ ପତ୍ନୀ ଯିଏକି ଭାରତୀୟ ବାୟୁସେନାରେ ଅଫିସର ଅଛନ୍ତି , ତାଙ୍କ ୬ ବର୍ଷ ଝିଅ ଓ ବାପା ମାଆ ଅଛନ୍ତି । ଏହି ଖବର ତାଙ୍କ ଜନ୍ମମାଟିରେ ପହଞ୍ଚିବା ପରେ ପରିବାରରରେ ଶୋକର ଛାୟା ଖେଳିଯାଇଥିଲା । ବିମାନ ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ ଇନକ୍ବାରୀ ଗଠନ କରାଯାଉଛି ବୋଲି ଆଇଏଏଫ କହିଛି ।













