ଆନ୍ଧ୍ର ମାଛରେ ଫାର୍ମାଲିନ ଲେପ ଦିଆଯାଉଥିବା ଘଟଣା ସତ ପ୍ରମାଣିତ ହେବା ପରେ ଚିନ୍ତାରେ ବ୍ୟବସାୟୀ. ଅନ୍ୟପଟେ ପ୍ରଶାସନିକ ଅଧିକାରୀଙ୍କ ଯାଞ୍ଚ ପ୍ରକ୍ରିୟା. ଘଟଣାର ସତ୍ୟାସତ୍ୟ ପଦାକୁ ଆସିବା ପରେ ରାଜ୍ୟର ପ୍ରମୁଖ ଜିଲ୍ଲାମାନଙ୍କରେ ଥିବା ମାଛ ମାର୍କେଟଗୁଡିକରେ ଖାଦ୍ୟ ନିଗମ ଅଧିକାରୀମାନେ ରେଡ୍ କରୁଛନ୍ତି, ଯାହାର ପ୍ରଭାବ ସିଧାସଳଖ ଖୁଚୁରା ବ୍ୟବସାୟୀଙ୍କ ଉପରେ ପଡୁଛି ବୋଲି କହିଛନ୍ତି ଜୟ ଯବାନ ମତ୍ସ୍ୟ ବ୍ୟବସାୟୀ ସଂଘର ପରାମର୍ଶଦାତା ଶେଖ୍ ମୁସ୍ତଫା. ମୁସ୍ତଫା କହିଛନ୍ତି ଯେ ଆମିଷ ଦିନରେ ପ୍ରାୟ 40ରୁ 45 ଟନ୍ ମାଛ ବିକ୍ରି ହୁଏ ମାତ୍ର ଏବେ ଏହା 10ରୁ 12 ଟନ୍ କୁ ଖସିଯାଇଛି. ବର୍ତ୍ତମାନ ସୁଦ୍ଧା ମାଛର କିଲୋ ପ୍ରତି ଦର ଅପରିବର୍ତ୍ତିତ ରହିଛି.
ମାଛକୁ ଅଧିକ ଦିନ ଯାଏଁ ସତେଜ ରଖିବା ପାଇଁ ଏହି କେମିକାଲ୍ ର ବ୍ୟବହାର କରାଯାଉଥିବା ଯାଞ୍ଚରୁ ସ୍ପଷ୍ଟ ହୋଇଛି. ରାଜଧାନୀରୁ ସଂଗୃହୀତ ମାଛ ନମୂନାରୁ ଏହା ପ୍ରମାଣିତ ହୋଇଥିଲା. ମାଛ ମାର୍କେଟକୁ ଆନ୍ଧ୍ର ମାଛ ତଥା ସାମୁଦ୍ରିକ ମାଛ ଆଣିବାକୁ ବାରଣ କରାଯାଇଛି. ଅନ୍ୟପଟେ ଦେଶୀ ମାଛ କେତେ ସୁରକ୍ଷିତ ସେନେଇ ଏବେ ପ୍ରଶ୍ନ ଉଠୁଛି. ଖାଉଟିମାନେ ବିଶେଷ କରି ମଟନ୍, ଚିକେନ୍ ଓ ଅଣ୍ଡା କିଣୁଥିବା ଦେଖିବାକୁ ମିଳୁଛି. ଆଗକୁ ମାଛ ବଜାରର ସ୍ଥିତି ସୁଧୁରିବ ନା ବିଗିଡିବ ତାହା ଏକ ବଡ଼ ପ୍ରଶ୍ନବାଚୀ.