ମଧ୍ୟ ପ୍ରଦେଶ ହାଇକୋର୍ଟ କଂଗ୍ରେସକୁ ଦେଇଛି ଏକ ଶକ୍ତ ଝଟକା । ସୋମବାର ମଧ୍ୟ ପ୍ରଦେଶ ହାଇକୋର୍ଟ କଂଗ୍ରେସ ବିଧାୟକ ମୁକେଶ ମଲହୋତ୍ରାଙ୍କ ନିର୍ବାଚନକୁ ରଦ୍ଦ କରିଛନ୍ତି । ବିଜୟପୁର ବିଧାନସଭା ଆସନରୁ କଂଗ୍ରେସ ବିଧାୟକ ମୁକେଶ ମାଲହୋତ୍ରାଙ୍କ ନିର୍ବାଚନକୁ ରଦ୍ଦ କରି ବିଜେପି ନେତା ଏବଂ ପୂର୍ବତନ ମନ୍ତ୍ରୀ ରାମନିବାସ ରାୱତଙ୍କୁ ବିଜୟୀ ଘୋଷଣା କରିଛନ୍ତି । ବିଜେପି ନେତା ରାମନିବାସ ରାୱତ ମୁକେଶ ମଲହୋତ୍ରାଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମୁକେଶ ନିର୍ବାଚନ ସମୟରେ ନିଜର ଅପରାଧିକ ରେକର୍ଡ ଦାଖଲ କରିନଥିବାର ଅଭିଯୋଗ ହୋଇଥିଲା । ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ କରିବା ଅଭିଯୋଗରେ ହାଇକୋର୍ଟର ଗ୍ୱାଲିୟର ବେଞ୍ଚର ବିଚାରପତି ଜିଏସ୍ ଅଲୁବାଲିଆ ଏହି ନିର୍ବାଚନକୁ ବାତିଲ କରିଛନ୍ତି । ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି କଂଗ୍ରେସ କହିଛି । ପୂର୍ବତନ ଆଦିବାସୀ ନେତା ମୁକେଶ ମଲହୋତ୍ରା ପ୍ରଥମେ ବିଜେପିରେ ଥିଲେ ତାଙ୍କୁ ବିଧାନସଭା ଟିକେଟ ନ ମିଳିବାରୁ ସେ କଂଗ୍ରେସରେ ଯୋଗ ଦେଇଥିଲେ । ପ୍ରିୟଙ୍କା ଗାନ୍ଧୀଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଥିଲେ । ୨୦୨୩ ନିର୍ବାଚନରେ ସେ ବିଜୟପୁର ଆସନରୁ ଲଢିଥିଲେ ଓ ନିର୍ବାଚନ ପରେ ରାମନିବାସ ରାୱତ ତାଙ୍କ ବିରୋଧରେ ମଧ୍ୟ ପ୍ରଦେଶ ହାଇକୋର୍ଟର ଗ୍ୱାଲିୟର ବେଞ୍ଚରେ ଯାଚିକା ଦାଖଲ କରିଥିଲେ ଓ ମିଥ୍ୟା ସତ୍ୟପାଠ ଦାଖଲି କରିବାର ଅଭିଯୋଗ ଆଣିଥିଲେ । ତାଙ୍କ ନାଁ ୬ଟି ଅପରାଧିକ ମାମଲାରେ ଥିବାବେଳେ ମାତ୍ର ୨ଟିର ତଥ୍ୟ ଦାଖଲ କରିଥିଲେ । ସେ ସତ୍ୟପାଠରେ ତାଙ୍କର ଅପରାଧିକ ପୃଷ୍ଠଭୂମି ବିଷୟରେ ଭୁଲ ତଥ୍ୟ ଦେଇଥିଲେ ।













