ପୁରୀ ସହର ରାୟବାହାଦୁର ଲେନ୍ ରେ ଖୋଲା ବୋରୱେଲରେ ପଡ଼ି ଦେଢ଼ ବର୍ଷ ଶିଶୁ କନ୍ୟାର ମୃତ୍ୟୁ ହୋଇଛି । ମୃତ୍ୟ ଶିଶୁ ହେଲେ ନରେନ୍ଦ୍ର କୋଣ ମଙ୍ଗଳା ସାହିର ଅଜୟ ନାୟକଙ୍କ ଦେଢ଼ ବର୍ଷର ଝିଅ । ଖେଳୁଥିବା ବେଳେ ବୋରଓ୍ବେଲ୍ରେ ପଡ଼ି ମୃତ୍ୟୁ ଘଟିଛି । ପୁରୀ ହସ୍ପିଟାଲରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଚିକିତ୍ସା ପାଇଁ ଶିଶୁକନ୍ୟାକୁ ତୁରନ୍ତ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ସୂଚନା ଅନୁସାରେ, ଅଜୟ ନାୟକଙ୍କ ସ୍ତ୍ରୀ ଏବଂ ଝିଅ ରାୟବାହାଦୁର ଲେନ୍ ରେ ଥିବା ମାମୁଁ ଘରକୁ ବୁଲିବାକୁ ଆସିଥିଲେ । ଆଜି ମଧ୍ୟାହ୍ନ ସମୟରେ ଶିଶୁ କନ୍ୟାଟି ଖେଳୁଥିବା ବେଳେ ମେଡିକାଲରେ କାମ ପାଇଁ ଖୋଳା ଯାଇଥିବା ଏକ ଖୋଲା ବୋର୍ ଓ୍ୱେଲ ଭିତରେ ପଡ଼ିଯାଇଥିଲା । ସେଠାରେ ଉପସ୍ଥିତି ଥିବା ଲୋକମାନେ ଶିଶୁ କନ୍ୟାକୁ ଉଦ୍ଧାର କରି ତୁରନ୍ତ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ଝିଅଟିକୁ ମୃତ ଘୋଷଣା କରିଥିଲେ । ମେଡ଼ିକାଲରେ କାମ କରୁଥିବା ଶ୍ରମିକଙ୍କୁ ବାରମ୍ବାର ବୋରୱେଲକୁ ବନ୍ଦ କରିବାକୁ ପୂର୍ବରୁ କୁହାଯାଇଥିଲା । କିନ୍ତୁ କେହି ସ୍ଥାନୀୟ ଲୋକଙ୍କ କଥାକୁ ଖାତିର ନ କରି ବୋରୱେଲକୁ ଖୋଲା ଛାଡ଼ି ଦେଇଥିଲେ ଓ ସେଥିପାଇଁ ଆଜି ଗୋଟିଏ ଶିଶୁର ପ୍ରାଣ ଚାଲିଗଲା ।













