ପିପିଲି ଥାନା ଅନ୍ତର୍ଗତ ଉତ୍ତରା ସିଫା ନିକଟରେ ଜଣେ କିନ୍ନରଙ୍କୁ ହତ୍ୟା କରାଯାଇଛି । ସେଥିପାଇଁ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି କିନ୍ନର ସମାଜ । ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ଏବଂ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି ମୀରା ପରିଡ଼ା । ଗତକାଲି ଠାରୁ ଏପର୍ଯ୍ୟନ୍ତ ପୋଲିସ କୌଣସି ସୁରାକ ପାଇନାହିଁ । ସେଥିପାଇଁ ଏହାର ପ୍ରତିବାଦ କରି କିନ୍ନର ସମାଜ ରାସ୍ତା ରୋକ କରିଛି । କ୍ୟାପିଟାଲ ହସ୍ପିଟାଲ ନିକଟରେ ମୀରା ପରିଡ଼ାଙ୍କ ସମେତ ସମସ୍ତେ ଧାରଣାରେ ବସିଛନ୍ତି । ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ ଏବଂ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ପ୍ରତିଶ୍ରୁତି ନ ମିଳିବା ଯାଏ ରାସ୍ତାରୋକ ହଟିବ ନାହିଁ ବୋଲି ଦାବି ହୋଇଛି । ସାଲେପୁର ଅଞ୍ଚଳର କିନ୍ନର ଅଞ୍ଜଳିକୁ ଗତକାଲି ରାତିରେ ପିପିଲି ସିଫା ନିକଟରେ ଛୁରୀ ଭୁସି ନିର୍ମମଭାବେ ହତ୍ୟା କରାଯାଇଥିଲା । ଅଞ୍ଜଳି କିଛି ଦିନ ହେବ ସିଫା ନକଟସ୍ଥ ରାସ୍ତା କଡ଼ରେ ଛିଡ଼ା ହେଉଥିଲେ । ଗତକାଲି ତାଙ୍କୁ କେହି ଦୁର୍ବୃତ୍ତ ଛୁରୀରେ ଆକ୍ରମଣ କରି ଚାଲିଯାଇଥିଲେ । ଅଞ୍ଜଳୀ ତାଙ୍କ ସାଥି କିନ୍ନରଙ୍କୁ ଫୋନ୍ କରି କହିଥିଲେ ଯେ ତାଙ୍କୁ ଦୁଇ ଜଣ ଛୁରୀ ଭୁସି ଦେଇଛନ୍ତି ,ଏତିକି କହିବା ପରେ ଆଉ କିଛି କହିନଥିଲେ । ଖବର ପାଇ ପିପିଲି ଥାନା ପୋଲିସ ଘଟଣସ୍ଥଳରେ ପହଁଚି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପିପିଲି ପୋଲିସ ହତ୍ୟାକାଣ୍ଡର ତଦନ୍ତ କରୁଅଛି ।














