କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ଇଷ୍ଟ ହଷ୍ଟେଲର ପ୍ରାୟ ୧୫ ଜଣ ଛାତ୍ର ହଠାତ୍ କରି ଅସୁସ୍ଥ ହୋଇପଡ଼ିଛନ୍ତି। ଅପମିଶ୍ରିତ ଖାଦ୍ୟକୁ ଏହାର କାରଣ ବୋଲି ଗ୍ରହଣ କରାଯାଉଛି। ଝାଡ଼ାବାନ୍ତି ଆକ୍ରାନ୍ତ ହୋଇଥିବା ଏହି ସମସ୍ତ ଅସୁସ୍ଥ ଛାତ୍ରଙ୍କୁ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା କୁହାଯାଉଛି।ଗତକାଲି ରାତିରେ ହଷ୍ଟେଲର ଛାତ୍ର ଭାତ, ରୁଟି, ଅଣ୍ଡା ତଡକା ଓ ଭଜା ଖାଇଥିଲେ । ହଷ୍ଟେଲରେ ପ୍ରାୟ ୧୮୦ ଛାତ୍ର ରହୁଥିଲେ । ଏହାପରେ ଛାତ୍ରମାନେ ଅସୁସ୍ଥ ଅନୁଭବ କରିବାରୁ,ସମସ୍ତଙ୍କୁ କଟକ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ପୂର୍ବରୁ ମଧ୍ୟ ରେଭେନ୍ସାର ଅନ୍ୟ ଏକ ହଷ୍ଟେଲରେ ଫୁଡ ପଏଜନ ହୋଇଥିଲା। ହଷ୍ଟେଲରେ ଆକ୍ବାଗାର୍ଡ ଖରାପ ଥିବାବେଳେ ଦୂଷିତ ପାଣି ବାହାରୁଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି । ଏନେଇ ଅଭିଯୋଗ କରିବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି । ହଷ୍ଟେଲରେ ପିଇବା ପାଣି ସମସ୍ୟା ଥିବା ଅଭିଯୋଗ ହୋଇଛି। କିନ୍ତୁ ଛାତ୍ରଙ୍କ ଅପମିଶ୍ରିତ ଖାଦ୍ୟ ଅଭିଯୋଗକୁ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି।














