ଜଳେଶ୍ୱରରୁ ଦିଘା ମଧ୍ୟରେ ରେଳ ଲାଇନ ପ୍ରକଳ୍ପକୁ ନେଇ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେଳ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ନିକଟକୁ ଚିଠି ଲେଖିଛନ୍ତି. ପଶ୍ଚିମବଙ୍ଗରେ ଭୂମି ଅଧିଗ୍ରହଣରେ ବାଧା ଉପୁଜିବା କାରଣରୁ ସାତ ବର୍ଷ ଧରି ଏହି ପ୍ରକଳ୍ପ ଅଟକି ରହିଛି. ତେବେ ଓଡିଶାରେ ଏଭଳି ଏକ ବଡ ପ୍ରକଳ୍ପକୁ ଯଥାଶୀଘ୍ର ଆରମ୍ଭ କରାଯାଉ ଏବଂ ମନ୍ତ୍ରୀ ପୀୟୁଷ ଗୋଏଲ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ନବୀନ ଚିଠିରେ ଦର୍ଶାଇଛନ୍ତି. ଏ କ୍ଷେତ୍ରରେ ଓଡିଶା ସରକାର ସମସ୍ତ ସହଯୋଗ କରିବେ ବୋଲି ମଧ୍ୟ ଉଲ୍ଲେଖ ରହିଛି. ଏଠାରେ ଉଲ୍ଲେଖଯୋଗ୍ୟ ଯେ, 41 କିମିର ପରିଯୋଜନାକୁ  2011-12 ମସିହାରେ ରେଳ ମନ୍ତ୍ରାଳୟ ମଞ୍ଜୁରୀ ଦେଇଥିଲେ. ଏହି ପ୍ରକଳ୍ପର 7 କିଲୋମିଟର ରେଳପଥ ପଶ୍ଚିମବଙ୍ଗ ଦେଇ ଯାଇଥିବା ବେଳେ ବାଲେଶ୍ବର ଜିଲ୍ଲାରେ 34 କିଲୋମିଟର ରହିଛି.  ଓଡିଶା ପାଇଁ ଏହି ରେଳପଥ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ମଧ୍ୟ ମଞ୍ଜୁରୀର ସାତ ବର୍ଷ ପରେ ଏହା ଆରମ୍ଭ କରାଯାଇନାହିଁ. ଏହି ପ୍ରକଳ୍ପ ସଂପୂର୍ଣ ହେଲେ ବିଭିନ୍ନ ଦର୍ଶନୀୟ ସ୍ଥାନ ଏବଂ ପର୍ଯ୍ୟଟନସ୍ଥଳୀ ଯଥା ଭୂଶଣ୍ଢେଶ୍ୱର, ଚନ୍ଦନେଶ୍ୱର, ତାଳଶ୍ୱରୀ-ଉଦୟପୁର ବେଳାଭୂମିକୁ ଲୋକେ ସହଜରେ ଗମନ କରିପାରିବେ ବୋଲି ନବୀନ କହିଛନ୍ତି.

LEAVE A REPLY

Please enter your comment!
Please enter your name here