ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଚାଲିଥିବାବେଳେ ସରକାରୀ ଅଧିକାରୀମାନେ ଦୁର୍ନୀତି ମୁକ୍ତ ପ୍ରଶାସନ ପାଇଁ ଶପଥ ନେଉଛନ୍ତି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମଧ୍ୟ କଡ଼ା ତାଗିଦ କରିଛନ୍ତି ଯେ ସମସ୍ତେ ନିଜ କର୍ତ୍ତବ୍ୟ ପ୍ରତି ସଚେତନ ଓ ଇମାନଦାର ହୁଅନ୍ତୁ । କିନ୍ତୁ କିଛି ସରକାରୀ ଅଧିକାରୀ ନିଜ କାର୍ଯ୍ୟକଳାପରୁ ବାଦ ପଡ଼ୁ ନାହାଁନ୍ତି । ଆଜି ପୁଣି ଜଣେ ସରକାରୀ ବାବୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସେ ହେଲେ ବଲାଙ୍ଗୀର ଟିଟିଲାଗଡ଼ ସହକାରୀ ସିଟି ଜିଏସଟି ଅଧିକାରୀ ଉମାକାନ୍ତ ମହାକୁଡ଼ । ଜିଏସଟି ଅଧିକାରୀ ଉମାକାନ୍ତ ମହାକୁଡ଼, ଜଣେ ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି । ବ୍ୟବସାୟୀଙ୍କ ବାକି ଟାକ୍ସକୁ ଛାଡ଼ କରିବାକୁ ଜିଏସଟି ଅଧିକାରୀ ୧୨୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ସମ୍ପୃକ୍ତ ବ୍ୟବସାୟୀଙ୍କର ପ୍ରତି ବର୍ଷ ୨୫୦୦ ଟଙ୍କା ହିସାବରେ ତିନି ବର୍ଷରେ ୭୫୦୦ ଟଙ୍କା ଟିକସ ବାକି ଥିଲା । ଏଥିପାଇଁ ତାଙ୍କ ଉପରେ ଟିକସ ଏବଂ ଫାଇନ୍ ଲାଗିଥିଲା । ଜିଏସଟି ଅଧିକାରୀ ଶ୍ରୀ ମହାକୁଡ଼ଙ୍କୁ କେବଳ ଟାକ୍ସ ଟଙ୍କା ନେବାକୁ ବ୍ୟବସାୟୀ ଜଣେ ଅନୁରୋଧ କରିଥିଲେ । କିନ୍ତୁ ମହାକୁଡ଼ ଟାକ୍ସ ଠାରୁ ଅଲଗା ଭାବେ ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ଉଠିଛି । ଏ ନେଇ ବ୍ୟବସାୟୀ ଜଣକ ଭିଜିଲାନ୍ସକୁ ଅଭିଯୋଗ କରିଛନ୍ତି । ମହାକୁଡ଼ ଲାଞ୍ଚ ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ଟିମ୍ ଧରିଥିଲେ । ତାଙ୍କଠୁ ସମସ୍ତ ଲାଞ୍ଚ ରାଶି ଜବତ କରାଯାଇଛି । ପରେ ତାଙ୍କ ଘର ଓ ଅନ୍ୟ ଠିକଣାରେ ତଲାଶି ଚାଲିଛି । ସମ୍ବଲପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଏହି ମାମଲା ରୁଜୁ ହୋଇଛି ।














